ଅମିତାଭ ବଚ୍ଚନଙ୍କୁ ଫାଇନାଲ୍‌ ନ ଦେଖିବାକୁ ଚେତାବନୀ

ଅହମଦାବାଦ: ଭାରତ ବିଶ୍ବକପ୍‌ ଜିତିଲେ ଗୋଟିଏ ଦିନ ପାଇଁ ମାଗଣାରେ ଗ୍ରାହକଙ୍କୁ ଭାତ, ତରକାରି ଖାଇବାକୁ ଦେବେ। ଏଭଳି ଘୋଷଣା କରିଛନ୍ତି ଅହମଦାବାଦର ଜଣେ ଢାବା ମାଲିକ ନରେନ୍ଦ୍ର ସିଂହ। ନରେନ୍ଦ୍ରଙ୍କ କହିବାନୁସାରେ ସେ କ୍ରିକେଟ୍‌ ବିଶ୍ବକପ୍‌କୁ ୧୯୮୩ ମସିହାରୁ ଦେଖିଆସୁଛନ୍ତି। କପିଳ ଦେବ ଭାରତକୁ ବିଶ୍ବବିଜେତା କରାଇବା ଘଟଣା ପରଠୁ ସେ କ୍ରିକେଟ୍‌ ପ୍ରେମରେ ପଡ଼ିଯାଇଥିଲେ। ତେଣୁ ରବିବାର ପୁଣି ଥରେ ଭାରତ ବିଶ୍ବ ବିଜେତା ହେଲେ ସେ ଗ୍ରାହକଙ୍କୁ ମାଗଣାରେ ଖାଇବାକୁ ଦେବେ‌ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚଳିତ ବିଶ୍ବକପ୍‌ରେ ଭାରତ ସବୁଠୁ ମଜବୁତ୍‌ ଦଳ। ଏପର୍ଯ୍ୟନ୍ତ ଅପରାଜେୟ ରହିଥିବାରୁ ଭାରତ ମଧ୍ୟ ନିଶ୍ଚିତ ଫାଇନାଲ୍‌ ଜିତିବ ବୋଲି ନରେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି।

ବିଶ୍ବକପ୍‌ ବିଜେତାଙ୍କୁ ସ୍ବତନ୍ତ୍ର ସମ୍ମାନ
ରବିବାର ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ ପ୍ରଥମ ପାଳି ଶେଷ ହେବା ପରେ ପୂର୍ବ ବିଜେତା ଦଳର ଅଧିନାୟକମାନଙ୍କୁ ଆଇସିସି ସମ୍ମାନିତ କରିବ। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପୂର୍ବତନ ବିଜେତାଙ୍କ ଅଧିନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା ବେଳେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଆୟୋଜନ କରୁଛି ବିସିସିଆଇ। ସମସ୍ତ ଅଧିନାୟକଙ୍କୁ ସ୍ବତନ୍ତ୍ର ବ୍ଲେଜର୍‌ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର ସିଂହ ଧୋନି, କପିଳ ଦେବ, ରିକି ପଣ୍ଟିଂ, କ୍ଲାଇଭ ଲୟଡ, ଆଲାନ ବର୍ଡର, ଇଅନ ମୋର୍ଗାନ, ଅର୍ଜୁନ ରଣତୁଙ୍ଗା ସାମିଲ ହେବେ। ଏଥିସହିତ ବିଭିନ୍ନ ବିଜେତା ଦଳଗୁଡ଼ିକଙ୍କ ଜୟଯାତ୍ରାକୁ ମଧ୍ୟ ବଡ଼ ପରଦାରେ ପ୍ରଦର୍ଶନ କରାଯିବାକୁ ସ୍ଥିର କରାଯାଇଛି।

ଅମିତାଭ ବଚ୍ଚନଙ୍କୁ ଫାଇନାଲ୍‌ ନ ଦେଖିବାକୁ ଚେତାବନୀ

ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭାରତ-ଅଷ୍ଟ୍ରେଲିଆ ବିଶ୍ବକପ୍‌ ଫାଇନାଲ୍‌ ନ ଦେଖିବାକୁ ପ୍ରଶଂସକମାନେ ପରାମର୍ଶ ଦେଇଛନ୍ତି। ଭାରତ ଯେତେବେଳେ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା, ସେତେବେଳେ ଅନେକ ପ୍ରଶଂସକ ଅମିତାଭଙ୍କୁ ଏହି ମ୍ୟାଚ୍‌ ଦେଖି ନଥିବାରୁ ଧନ୍ୟବାଦ ଜଣାଇଥିଲେ। କାରଣ ଭାରତର ଏହି ବିଜୟ ପରେ ଅମିତାଭ ତାଙ୍କ ‘ଏକ୍ସ’ ପୋଷ୍ଟରେ ଲେଖିଥିଲେ, ‘ଯେତେବେଳେ ସେ ଭାରତୀୟ ଦଳର ମ୍ୟାଚ୍‌ ଦେଖି ନଥାନ୍ତି, ସେତେବେଳେ ଭାରତ ମ୍ୟାଚ୍‌ ଜିତିଥାଏ।’ ଏଭଳି ପୋଷ୍ଟ ପରେ ଏକ୍ସ ବ୍ୟବହାରକାରୀମାନେ ଅମିତାଭଙ୍କୁ ଫାଇନାଲ୍‌ ମ୍ୟାଚ୍‌ ନ ଦେଖିବା ପାଇଁ ଚେତାବନୀ ଦେଇଛନ୍ତି। ଅମିତାଭଙ୍କ ଏହି ପୋଷ୍ଟ ମଧ୍ୟ ଅନ୍ୟ ସାମାଜିକ ଗଣମାଧ୍ୟମଗୁଡ଼ିକରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ୱାଙ୍ଖ୍‌ଡ଼େରେ ଭାରତର ମ୍ୟାଚ୍‌ ସମୟରେ ସିନେ ଜଗତର ସେଲିବ୍ରିଟିମାନଙ୍କ ଗହଳି ଲାଗୁଥିବା ଦେଖାଯାଇଛି। ହେଲେ ଅମିତାଭ ଭାରତ ମ୍ୟାଚ୍‌ ଦେଖିଲେ ଦଳ ହାରିଯାଏ ବୋଲି ଏକ ଅନ୍ଧବିଶ୍ବାସ ରଖିଛନ୍ତି।

ଗୀତରେ ଝୁମାଇବେ ପ୍ରୀତମ, ଜୋନିତା, ଅମିତ

ଖେଳ ଚାଲୁଥିବା ମଝିରେ ଦର୍ଶକମାନଙ୍କର ମନୋରଂଜନ ପାଇଁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଉଦ୍‌ଘାଟନୀ ଦିବସରେ କୌଣସି କାର୍ଯ୍ୟକ୍ରମ ହୋଇ ନଥିବାରୁ ଫାଇନାଲ୍‌ ମ୍ୟାଚ୍‌କୁ ଅଧିକ ସ୍ମରଣୀୟ କରିବା ପାଇଁ ବିସିସିଆଇ ଓ ଗୁଜରାଟ କ୍ରିକେଟ୍‌ ସଂଘ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରଥମ ପାଳିର ଜଳପାନ ବିରତି ସମୟରେ ସ୍ଥାନୀୟ ଗାୟକ ଆଦିତ୍ୟ ଗାଦଭିଙ୍କ ସହ ଅନ୍ୟାନ୍ୟ କଣ୍ଠଶିଳ୍ପୀଙ୍କ ଦ୍ବାରା ସଙ୍ଗୀତ କାର୍ଯ୍ୟକ୍ରମ ଚାଲିବ। ସେହିପରି ପ୍ରଥମ ପାଳି ଶେଷ ହେବା ପରେ ପ୍ରୀତମ ଚକ୍ରବର୍ତ୍ତୀ, ଜୋନିତା ଗାନ୍ଧୀ, ନକାଶ ଅଜିଜ୍‌, ଅମିତ ମିଶ୍ର, ଅକସା ସିଂହ ଓ ତୁଷାର ଜୋଶୀଙ୍କ ଦ୍ବାରା ବଲିଉଡ୍‌ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମ ଭିତରେ ବିଶ୍ବକପ୍‌ ସଂଗୀତ ‘ଦିଲ୍‌ ଜଶନ ଜଶନ ବୋଲେ’, ‘ଲେହରା ଦୋ’, ‘ଦେବା ଦେବା’ ଓ ‘କେସରିୟା’ ଭଳି ଗୀତକୁ ଏହି କଣ୍ଠଶିଳ୍ପୀମାନେ ଗାଇବା ସହ ଦର୍ଶକଙ୍କ ଭରପୂର ମନୋରଂଜନ କରିବେ।

 

Spread the love