ଉଦ୍ଧାର ହେଲେ ସ୍ବାମୀଙ୍କ ପ୍ରତି ବିଶ୍ବସ୍ତତା ପ୍ରମାଣ ଦେବାକୁ ଗରମ ତେଲରେ ହାତ ବୁଡ଼ାଇବାକୁ ଯାଉଥିବା ମହିଳା

ପୁତଲାପଟ୍ଟୁ: ଠିକଣା ସମୟରେ ସରକାରୀ ଅଧିକାରୀମାନେ ହସ୍ତକ୍ଷେପ କରିବାରୁ ସ୍ବାମୀଙ୍କ ପ୍ରତି ବିଶ୍ବସ୍ତତା ପ୍ରମାଣ ଦେବାକୁ ଗରମ ତେଲରେ ହାତ ବୁଡ଼ାଇବାକୁ ବାଧ୍ୟ କରାଯାଇଥିବା ଆନ୍ଧ୍ରପ୍ରଦେଶର ପୁତଲାପଟ୍ଟୁ ଅଞ୍ଚଳର ଜଣେ ୫୦ ବର୍ଷୀୟ ମହିଳା ରକ୍ଷା ପାଇଥିବା କଥା ପୁଲିସ କହିଛି।ସରକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ଦିନ ଏ ଘଟଣା ଚିତ୍ତୂର ଜିଲ୍ଲାର ପୁତଲାପଟ୍ଟୁ ମଣ୍ଡଳ ଅନ୍ତର୍ଗତ ତେନେପାଲ୍ଲେ ନିକଟ ତତିତୋପୁ ଗ୍ରାମର ୟେରୁକୁଲା ଜନଜାତି ସମ୍ପ୍ରଦାୟରେ ଘଟିଛି। ପଞ୍ଚାୟତ ରାଜ ବିଭାଗର ଜଣେ ଅଧିକାରୀ ‘ନିଉଜ୍‌ ଏଜେନ୍‌ସି ପି.ଟି.ଆଇ.’କୁ କହିଛନ୍ତି, ରାତି ପ୍ରାୟ ୧.୩୦ରେ ୪ଜଣ ପ୍ରାପ୍ତ ବୟସ୍କ ପିଲାର ମାଆ ଉକ୍ତ ମହିଳା ପରୀକ୍ଷା ଦେବାକୁ ଯାଉଥିଲେ, କିନ୍ତୁ ଠିକଣା ସମୟରେ ମୁଁ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କଲି।

ବିଶ୍ବସ୍ତତା ପ୍ରମାଣ ପରୀକ୍ଷା ନିମନ୍ତେ ଯେଉଁ ବ୍ୟବସ୍ଥା ରହିଛି ତାହା ହେଉଛି, ୫ ଲିଟର୍‌ ତେଲକୁ ଖୁବ୍‌ ଗରମ କରି ଫୁଲରେ ସଜା ଯାଇଥିବା ନୂଆ ମାଟି ପାତ୍ରରେ ଅଜାଡ଼ି ଦିଆଯାଏ। ଏଥିରେ ସମ୍ପୃକ୍ତ ମହିଳାଙ୍କୁ ହାତ ବୁଡ଼ାଇବାକୁ କୁହାଯାଏ। ଏହା ଦେଖିବା ପାଇଁ ମୁରବି ଓ ଗ୍ରାମବାସୀମାନେ ଏକତ୍ର ହୋଇଥାଆନ୍ତି । ଗରମ ତେଲରେ ବୁଡ଼ାଇବା ପରେ ଉକ୍ତ ମହିଳାଙ୍କ ହାତ ପୋଡୁଛି କି, ନାହିଁ ସମ୍ପ୍ରଦାୟର ସଦସ୍ୟମାନେ ଦେଖନ୍ତି। ଯଦି ହାତ ନ ପୋଡ଼େ ତେବେ ସେ ସ୍ବାମୀଙ୍କ ପ୍ରତି ଅନୁରକ୍ତା, ପୋଡ଼ିଗଲେ ନୁହେଁ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ଉକ୍ତ ମହିଳାଙ୍କ ୫୭ ବର୍ଷିୟ ସ୍ବାମୀ ତାଙ୍କର ଏହି ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଆସୁଥିଲେ। ସେଥିପାଇଁ ସ୍ତ୍ରୀଙ୍କୁ ଅନେକ ଥର ମାରଧର ମଧ୍ୟ କରିଥିଲେ। ଶେଷ‌ରେ ଜନଜାତି ସମ୍ପ୍ରଦାୟର ବୟୋଜ୍ୟେଷ୍ଠମାନଙ୍କ ପରାମର୍ଶକ୍ରମେ ସ୍ତ୍ରୀ ସତୀତ୍ବର ପରୀକ୍ଷା ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ସ୍ବାମୀଙ୍କ ପ୍ରତି ନିଷ୍ଠାର ପ୍ରମାଣ ଦେବାକୁ ସେ ମହିଳାଜଣକ ବି ରାଜି ହୋଇଥିଲେ। ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। ଠିକ୍‌ ଏହି ସମୟରେ ସ୍ଥାନୀୟ ମଣ୍ଡଳ ପରିଷଦ ଉନ୍ନୟନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା ବନ୍ଦ କରାଇଥିଲେ। ଏହି ଘଟଣା ପାଇଁ ଥାନାରେ ମାମଲା ରୁଜୁ ହୋଇ ନ ଥିଲେ ମଧ୍ୟ ସ୍ବାମୀ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଥାନାକୁ ଡକାଯାଇଥିଲା।

Spread the love