ଭାରତ ବିଶ୍ବକପ୍‌ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି: ‘ଆଷ୍ଟ୍ରୋଟକ୍‌’ ‘ସିଇଓ’

ନୂଆଦିଲ୍ଲୀ: ‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌’ରେ ଯଦି ଭାରତ ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରେ ତେବେ ‘ଆଷ୍ଟ୍ରୋଟକ୍‌’ ବ୍ୟବହାରକାରୀଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବଣ୍ଟନ କରିବେ ବୋଲି ପ୍ରତିଷ୍ଠାନର ‘ସିଇଓ’ ପୁନୀତ ଗୁପ୍ତା ଶନିବାର ଦିନ କହିଛନ୍ତି।

୨୦୧୧ରେ ଭାରତର ବିଶ୍ବକପ୍‌ ବିଜୟ ସଂକ୍ରାନ୍ତରେ ଉଲ୍ଲେଖ କରି ପୁନୀତ କହିଛନ୍ତି, ୨୦୧୧ରେ ଭାରତ ବିଶ୍ବକପ୍‌ ଜିଣିବା ବେଳେ ମୁଁ କଲେଜରେ ପଢୁଥିଲି। ସେ ଦିନଟି ଥିଲା ମୋ ଜୀବନର ସବୁଠୁ ଆନନ୍ଦଦାୟକ ଦିନମାନଙ୍କରୁ ଗୋଟାଏ। ଭାରତର ବିଜୟୋତ୍ସବ ପାଳନ ଲାଗି ଚଣ୍ଡୀଗଡ଼ରେ ବାଇକ୍‌ ରାଇଡ୍‌, ପ୍ରତି ଗୋଲେଇ ଛକରେ ଭାଙ୍ଗ୍‌ଡ଼ା ନୃତ୍ୟ ହୋଇଥିଲା ଓ ବାଟରେ ଯିଏ ଯାହାକୁ ଦେଖିଲା କୋଳାଇ ପକାଇଲା। ଏହା ଗୋଟାଏ ଅବିସ୍ମରଣୀୟ ଅନୁଭୂତି ବୋଲି ସେ କହିଛନ୍ତି। ଚଣ୍ଡୀଗଡ଼ରେ କଲେଜ ଅଡିଟରିୟମ୍‌ରେ ସାଙ୍ଗାସାଥିମାନଙ୍କ ଗହଣରେ ବସି ହର୍ଷୋତ୍‌ଫୁଲ୍ଲିତ ହୋଇ ସେ ଏହି ମ୍ୟାଚ୍‌ ଦେଖିଥିଲେ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ, ଖେଳ ଦେଖିବା ସମୟର ଉଦ୍‌ବେଗଜନକ ପରିସ୍ଥିତି। ଖେଳ ହେବାର ପୂର୍ବ ରାତିରେ ଅନିଦ୍ରା ହୋଇ ଖେଳର ଭଲମନ୍ଦ କଥା ଆଲୋଚନା ବିଷୟ ମଧ୍ୟ ସେ କହିଛନ୍ତି।

ଉପରୋକ୍ତ ଘଟଣାରେ ଭାବବିହ୍ବଳ ହୋଇ ପୁନୀତ କହିଛନ୍ତି, ଏଥପାଇଁ ଆଜି ସକାଳେ ମୁଁ ମୋ ‘ଫାଇନାନ୍‌ସ୍‌ ଟିମ୍‌’ ସହିତ କଥାବାର୍ତ୍ତା କରିଛି। ଯଦି ଭାରତ ବିଶ୍ବକପ୍‌ ବିଜୟୀ ହୁଏ ତେବେ ଆମ ବ୍ୟବହାରକାରୀମାନଙ୍କ ୱାଲେଟ୍‌ରେ ୧୦୦ କୋଟି ଟଙ୍କା ବଣ୍ଟନ କରିବି ବୋଲି ପ୍ରତିଜ୍ଞା କରିଛନ୍ତି।‘ଲିଙ୍କଡ୍‌ଇନ୍‌’ ପୋଷ୍ଟ୍‌ରେ ପୁନୀତ ଲେଖିଛନ୍ତି, ଗତଥର ଅଳ୍ପ କେତେକ ବନ୍ଧୁଙ୍କ ସହିତ ଖୁସି ବାଣ୍ଟିଥିଲି। ଏଥର କ’ଣ କରିବି ବୋଲି ଗତରାତିରେ ଚିନ୍ତା କଲି। ଦେଖିଲି ଏବେ ମୋର ଅନେକ ‘ଆଷ୍ଟ୍ରୋଟକ୍‌’ ବ୍ୟବହାରକାରୀ ଅଛନ୍ତି। ସେମାନେ ବି ମୋର ବନ୍ଧୁମାନଙ୍କଠାରୁ କମ୍‌ ନୁହନ୍ତି। ତେଣୁ, ସେମାନଙ୍କ ସହିତ ଖୁସି ବାଣ୍ଟିବାକୁ ଏଭଳି ନିଷ୍ପତ୍ତି ନେଇଛି।ଚାଲନ୍ତୁ, ଭାରତୀୟ ଟିମ୍‌ ପାଇଁ ପ୍ରାର୍ଥନା କରିବା, ଭାରତୀୟ ଟିମ୍‌କୁ ସମର୍ଥନ ଓ ଉତ୍ସାହ ଦେବା ବୋଲି ସେ କହିଛନ୍ତି।

Spread the love