ଆସନ୍ତା ୨ ଦିନ ବର୍ଷା ଓ ମେଘୁଆ ପାଗ

ଭୁବନେଶ୍ବର: ପଶ୍ଚିମ‌ା ଝଡ଼ ଓ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲି ଓ ୨୧ ତାରିଖରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ସୋମବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଧିକ।

ସେହିଭଳି ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କଟକ ଓ ନବରଙ୍ଗପୁର ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହୁଛି। ଏହି ଦୁଇ ଦିନରେ ରାଜ୍ୟର ରାତି ତାପମାତ୍ରାରେ ହ୍ରାସ ଘଟିବ ନାହିଁ। ଏହାର ୩ରୁ ୪ ଦିନରେ ରାଜ୍ୟର ରାତି ତାପମାତ୍ରା ଧୀରେଧୀରେ ଖସିବ। ପାଖାପାଖି ୨ରୁ ୪ ଡିଗ୍ରି ଯାଏ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜ୍ୟରେ ଶୀତ ଅନୁଭବ ହେବ ବୋଲି ଅନୁମାନ କରାଯାଉଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଶୁଖିଲା ରହିବ। ସର୍ବାଧିକ ଦିନ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୧ ଡିଗ୍ରି ମଧ୍ୟରେ ରହିବ।

Spread the love