୩ ବର୍ଷ ହେବ ରାଜ୍ୟପାଳ କ’ଣ କରୁଥିଲେ? ତାମିଲ୍‌ନାଡୁ ‘ବିଲ୍‌’ ବିଳମ୍ବ ସଂକ୍ରାନ୍ତରେ ପଚାରିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ୩ ବର୍ଷ ହେବ ରାଜ୍ୟପାଳ କ’ଣ କରୁଥିଲେ ବୋଲି ଆଜି ‘ଚିଠା’ ଅନୁମୋଦନ ବିଳମ୍ବଜନିତ ତାମିଲନାଡୁ ସରକାରଙ୍କ ଆବେଦନର ଶୁଣାଣି ଜାରି ରଖିବା ବେଳେ ସୁପ୍ରିମ୍‌ କୋର୍ଟ କହିଛନ୍ତି। ତାମିଲ୍‌ନାଡୁ ସରକାରଙ୍କଦ୍ବାରା ଗୃହୀତ ‘ବିଲ୍‌’ ବା ଚିଠାଗୁଡ଼ିକୁ ଅନୁମୋଦନ କରିବାରେ ରାଜ୍ୟପାଳ ଆର୍‌. ଏନ୍‌. ରବି ବିଳମ୍ବ କରୁଛନ୍ତି ବୋଲି ସୁପ୍ରିମ୍‌ କୋର୍ଟଙ୍କୁ କରିଥିବା ଆବେଦନରେ ରାଜ୍ୟ ସରକାର ଲେଖିଥିଲେ। ରାଜ୍ୟପାଳ ରାଜ୍ୟ ସରକାରଙ୍କର ‘ରାଜନୈତିକ ପ୍ରତିଦ୍ବନ୍ଦ୍ବୀ’ ଭଳି ଆଚରଣ କରୁଛନ୍ତି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ନେତୃତ୍ବାଧୀନ ତାମିଲନାଡୁ ସରକାର ସେଥିରେ ଅଭିଯୋଗ କରିଥିଲେ।

୨୦୨୦ରୁ ଏହି ଚିଠା ସବୁ ପଡ଼ି ରହିଥିଲା। ୩ ବର୍ଷ ହେବ ସେ କ’ଣ କରୁଥିଲେ ବୋଲି ସୁପ୍ରିମ୍‌ କୋର୍ଟ ପଚାରିଛନ୍ତି। ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାର ଉକ୍ତ ‘ବିଲ୍‌’ଗୁଡ଼ିକୁ ପୁଣି ଥରେ ଗୃହୀତ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଦେଖିବା ରାଜ୍ୟପାଳ କ’ଣ କରୁଛନ୍ତି। ଚିଠା ପୁନଃଗୃହୀତ ହେବାର ତାତ୍ପର୍ଯ୍ୟ ଦର୍ଶାଇ ଅଦାଲତ କହିଛନ୍ତି, ପୁନଃଗୃହୀତ ‘ବିଲ୍‌’ ବା ଚିଠା ‘ମନି ବିଲ୍‌’ ସଙ୍ଗେ ସମାନ। ଉଲ୍ଲେଖଯୋଗ୍ୟ, ତାମିଲନାଡୁର ରାଜ୍ୟପାଳ ୧୦ଟି ‘ବିଲ୍‌’ ଫେରାଇ ଦେବାରୁ ରାଜ୍ୟ ସରକାର ବିଶେଷ ବିଧାନସଭା ଅଧିବେଶନ ଡକାଇ ଉକ୍ତ ‘ବିଲ୍‌’ଗୁଡ଼ିକୁ ପୁଣି ଥରେ ଗୃହୀତ କରାଇ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। କିନ୍ତୁ, ତା’ପୂର୍ବରୁ ରାଜ୍ୟ ସରକାର ରାଜ୍ୟପାଳ ‘ବିଲ୍‌’ ଅନୁମୋଦନ କରିବାରେ ଅଯଥା ବିଳମ୍ବ କରୁଥିବା ଦର୍ଶାଇ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ। ରାଜ୍ୟପାଳ ଫେରାଇ ଦେଇଥିବା ‘ବିଲ୍‌’ ସବୁ ଆଇନ, କୃଷି ଓ ଉଚ୍ଚଶିକ୍ଷା ଆଦି ବିଭିନ୍ନ ବିଭାଗର ବୋଲି ‘ନିଉଜ୍‌ ଏଜେନ୍‌ସି’ ‘ପିଟିଆଇ’ ରିପୋର୍ଟ କରିଛି।

Spread the love