ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ମହଲତ

ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ମହଲତ। ଆସନ୍ତା ଡିସେମ୍ବର ୨୬ ତାରିଖରେ ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ କରିଥିବା ଅପିଲର ଶୁଣାଣି ହେବ | ଉଭୟ ସିଆରପିସି ୨୦୫ ଏବଂ ସିଆରପିସି ୨୧୦ର ସାଲେପୁର ଜେଏମଏଫସି କୋର୍ଟରେ ଶୁଣାଣି ହେବ । ବାସ୍ତବରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ଅଧିକ ସମୟ ଲୋଡ଼ି ବିଧାୟକ ପ୍ରତାପ ଜେନାଙ୍କ ତରଫରୁ ଗତକାଲି ସାଲେପୁର ଜେଏମଏଫସି ଅଦାଲତରେ ପିଟିସନ ଦାଖଲ କରାଯାଇଥିଲା । ବ୍ୟକ୍ତିଗତ ହାଜିରାରୁ ଛାଡ଼ ପାଇବା ପାଇଁ ସିଆରପିସିର ଧାରା ୨୦୫ରେ ଶ୍ରୀ ଜେନା ପୂର୍ବରୁ ଆବେଦନ କରିଥିଲେ। ଏବଂ ଏହାର ଶୁଣାଣି ପାଇଁ ସମୟ ପ୍ରଦାନ ଲାଗି ଗୋଟିଏ ପିଟିସନ ଦାଖଲ କରିଥିବା ବେଳେ ଅଭିଯୋଗକାରୀ ରଣଜିତ ବରାଳଙ୍କ ପକ୍ଷରୁ ଧାରା ୨୧୦(୨)ରେ ଦାଖଲ ଆବେଦନ ଉପରେ ଆପତ୍ତି ଦାଖଲ ପାଇଁ ମଧ୍ୟ ସମୟ ଲୋଡ଼ି ଶ୍ରୀ ଜେନା ଆଉ ଏକ ପିଟିସନ ଦାଖଲ କରିଥିଲେ। କିନ୍ତୁ ଶ୍ରୀ ଜେନାଙ୍କ ତରଫରୁ ଦାୟର ଦୁଇ ପିଟିସନ ଉପରେ ଅଭିଯୋଗକାରୀ ଶ୍ରୀ ବରାଳଙ୍କ ତରଫରୁ ଆପତ୍ତି କରାଯାଇଥିଲା । ଆଉ ଅଦାଲତ‌ ଏହି ପ୍ରସଂଗରେ ଗତକାଲି ଶୁଣାଣି ଶେଷ କରିଥିବାବେଳେ ଆଜି ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ମହଲତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ସାଲେପୁର ଜେଏମଏଫସି ଅଦାଲତ ୨୦୨୩, ସେପ୍ଟେମ୍ବର ୨୫ରେ କଗନିଜାନ୍ସ ଗ୍ରହଣ କରିବା ସହିତ ସମନ୍ ଜାରି କରିଥିଲେ।

ଅଦାଲତରେ ହାଜର ପାଇଁ ସମନ୍ ଦିଆଯାଇଥିବା ବେଳେ ଶ୍ରୀ ଜେନା କିନ୍ତୁ ସ୍ବାସ୍ଥ୍ୟଗତ କରାଣ ଦର୍ଶାଇ ଅକ୍ଟୋବର ୩୧ରେ ହାଜର ହୋଇ ନଥିଲେ। ଏଥି ସହିତ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ଓକିଲଙ୍କ ଜରିଆରେ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ ଅନୁମତି ଲୋଡ଼ି ଶ୍ରୀ ଜେନାଙ୍କ ତରଫରୁ ସିଆରପିସିର ଧାରା ୨୦୫ରେ ଏକ ପିଟିସନ୍ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ କରାଯାଇଥିଲା। ଅନ୍ୟପକ୍ଷରେ ସାଲେପୁର ଜେଏମଏଫସି ଅଦାଲତଙ୍କ କଗନିଜାନ୍ସ ନିର୍ଦ୍ଦେଶ ବିରୋଧରେ ଶ୍ରୀ ଜେନା ଦାୟର କରିଥିବା ଆବେଦନ (କ୍ରିମିନାଲ ରିଭିଜନ)କୁ ହାଇକୋର୍ଟ ନଭେମ୍ବର ୨ରେ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଥିଲେ। ଡିସେମ୍ବର ୧୯ ପର୍ଯ୍ୟନ୍ତ ଶ୍ରୀ ଜେନାଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇ ନଥିଲା। ଏତଲାରେ ଶ୍ରୀ ଜେନାଙ୍କ ନାଁରେ ଅଭିଯୋଗ ଥିବା ବେଳେ ଚାର୍ଜସିଟରୁ କିନ୍ତୁ ତାଙ୍କୁ ବାଦ ଦିଆଯାଇଥିଲା। ପୁଲିସର ଚାଜର୍ସିଟ ବିରୋଧରେ ଶ୍ରୀ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ ହୋଇଥିଲା।

Spread the love