ଆଜିଠୁ ଶୀତ ଅଧିବେଶନ: ସାଲୁଗା ହେବେ ଉପବାଚସ୍ପତି

ଭୁବନେଶ୍ବର: ମଙ୍ଗଳବାର ଠାରୁ ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏଥର ଗୃହରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବେ ତାହା ଆଜିର ସର୍ବଦଳୀୟ ବୈଠକରୁ ବାରି ହୋଇପଡ଼ିଛି। ଆଜି ମଧ୍ୟାହ୍ନରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତିଙ୍କୁ ଅନୁମତି ମାଗିଥିଲେ ଯେ ତାଙ୍କୁ ଗୃହରେ କୋଶଳୀ ଭାଷାରେ କହିବାକୁ ଅନୁମତି ଦିଆଯାଉ। ହେଲେ ବାଚସ୍ପତି କହିଥିଲେ ଯେ ଏବେ ଏହା ସମ୍ଭବ ନୁହେଁ। ସ୍ବତନ୍ତ୍ର କୋଶଳୀ ରାଜ୍ୟ ନେଇ ଦୁଇ ଦିନ ତଳେ ପଶ୍ଚିମ ଓଡ଼ିଶାରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି କଂଗ୍ରେସ ବିଧା‌ୟକ ଦଳ ନେତା ଗୃହରେ କୋଶଳୀ ଭାଷାରେ କହିବାକୁ ଅନୁମତି ମାଗି ଇଙ୍ଗିତ ଦେଇଛନ୍ତି ଯେ ଶୀତ ଅଧିବେଶନରେ ସେ ସ୍ବତନ୍ତ୍ର କୋଶଳୀ ରାଜ୍ୟ ପ୍ରସଙ୍ଗ ଉଠାଇବେ।

ସର୍ବଦଳୀୟ ବୈଠକ ପରେ ଶ୍ରୀ ମିଶ୍ର କହିଛନ୍ତି ଯେ ବିଧାନସଭାରେ ସଦସ୍ୟମାନଙ୍କୁ କୋଶଳୀ ଭାଷାରେ କହିବାକୁ ଅନୁମତି ଦେବାକୁ ଏକ ପ୍ରସ୍ତାବ ଆଗତ କରିଛି। ରାଜ୍ୟ ସରକାର କୋଶଳୀ ଭାଷାକୁ ଅବହେଳା କରୁଛନ୍ତି ବୋଲି ପଶ୍ଚିମଓଡ଼ିଶାର ଲୋକ ଅଭିଯୋଗ କରୁଛନ୍ତି। ତେଣୁ ଏଭଳି ପ୍ରସ୍ତାବ ଆଗତ କରିଛି।
ଶ୍ରୀ ମିଶ୍ରଙ୍କ ପ୍ରସ୍ତାବ ଉପରେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ବ୍ୟବସ୍ଥା ଅନୁସାରେ ବିଧାନସଭା ଦ୍ୱାରା ଅନୁମୋଦିତ ଭାଷାରେ ହିଁ ସଦସ୍ୟମାନେ କହିପାରିବେ। ଅନ୍ୟପକ୍ଷରେ ଏନେଇ ବାଚସ୍ପତି ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ସର୍ବଦଳୀୟ ବୈଠକ ସଫଳ ହୋଇଛି। ସବୁ ଦଳର ବିଧାୟକମାନେ ଗୃହ କାର୍ଯ୍ୟ ପରିଚାଳନାରେ ସହଯୋଗ କରିବେ। ସେହିପରି ଚଳିତ ଶୀତ ଅଧିବେଶନରେ କୋଶଳୀ ଭାଷାରେ ସଦସ୍ୟମାନଙ୍କୁ କହିବା ପାଇଁ ସୁଯୋଗ ଦେବା ସମ୍ଭବପର ନୁହେଁ। କାରଣ ଏଥିପାଇଁ ବିଧାନସଭାରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ସଦସ୍ୟମାନେ ଗୃହରେ ଯାହା କୁହନ୍ତି ସେହି ଗୃହ ବିବରଣୀ କୋଶଳୀ ଭାଷାରେ ରେକର୍ଡ ରଖିବାକୁ ଏବେ ବ୍ୟବସ୍ଥା ନାହିଁ। ଭବିଷ୍ୟତରେ ଏଭଳି ବ୍ୟବସ୍ଥା କରାଯିବ। ଆଜିର ବୈଠକରେ ସମସ୍ତ ଦଳର ବିଧାୟକମାନେ ଉପସ୍ଥିତ ଥିଲେ।

ସାଲୁଗା ହେବେ ଉପବାଚସ୍ପତି

 

ଭୁବନେଶ୍ବର: ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେବେ ଉପବାଚସ୍ପତି। ବିଜେଡି ଆଜି ଶ୍ରୀ ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ମଙ୍ଗଳବାର ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା ହେବା ବାକି ଅଛି। ଆସନ୍ତାକାଲି ପୂର୍ବାହ୍ନ ୯ଟା ୩୦ରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହରେ ଆନୁଷ୍ଠାନିକ ଭାବେ ଉପବାଚସ୍ପତିଙ୍କ ନାମ ଘୋଷଣା କରିବେ। ଦୁଇ ଥର ବିଧାୟକ ହୋଇଥିବା ସାଲୁଗା ପ୍ରଧାନଙ୍କୁ ବିଜେଡି ଉପବାଚସ୍ପତି ପ୍ରାର୍ଥୀ କରିବା ପରେ ସେ କହିଛନ୍ତି ଯେ ଦଳର ସଭାପତି ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ। ବରିଷ୍ଠ ସଦସ୍ୟଙ୍କ ମତାମତ ଓ ପରାମର୍ଶ ନେଇ ଗୃହ କାର୍ଯ୍ୟକୁ ସୁରୁଖୁରରେ ଚଳାଇବି। ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିବି। ମୁଁ ଦୁଇ ଥର ବିଧାୟକ ହୋଇଥିବାରୁ ଉପବାଚସ୍ପତି ହେବା ପାଇଁ ମୋର ଯୋଗ୍ୟତା ଅଛି।ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରୁ ବିଧାନସଭାର ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିବା ରଜନୀକାନ୍ତ ସିଂହ ଗତ ନଭେମ୍ବର ୮ତାରିଖରେ ଇସ୍ତଫା ଦେବା ପରେ ଆଗାମୀ ଉପବାଚସ୍ପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

Spread the love