୪ ବାୟୁସେନା ବିମାନରେ ରାଉରକେଲାରୁ ଉତ୍ତରକାଶୀ ଗଲା ୨୪ ପାଇପ୍‌; ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାରରେ ଲାଗିବ

ରାଉରକେଲା: ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡ଼ଙ୍ଗ ଭିତରେ ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ମଙ୍ଗଲବାର ପୁଣି ଆର୍‌ଏସ୍‌ପି ଉତ୍ପାଦିତ ପାଇପ୍‌ ପଠାଯାଇଛି। ବାୟୁସେନାର ଦୁଇଟି  ସି-୧୩୦ ଜେ ସୁପର ହର୍କ୍ୟୁଲସ୍‌ ବିମାନରେ  ସ୍ପାଇରାଲ୍‌ ୱେଲ୍‌ଡ ପାଇପ୍‌ ପଠାଯାଇଥିଲା। ଗତ ଦୁଇ ଦିନରେ ପାଖାପାଖି ୪୦ ଟନ୍‌ ବିଶିଷ୍ଟ ୨୪ଟି ପାଇପ୍‌ ପଠାଯାଇଥିବା ଜଣାପଡ଼ିଛି। ସୋମବାର ପ୍ରଥମ ଦିନରେ ଦୁଇଟି ବିମାନରେ ୧୨ଟି ପାଇପ୍‌ ପଠାଯାଇଥିବାବେଳେ ଆଜି ମଧ୍ୟ ଦୁଇଟି ବିମାନରେ ଅବଶିଷ୍ଟ ୧୨ଟି ପାଇପ୍‌ ପ୍ରେରଣ କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ପ୍ରଥମ ବିମାନ ଓ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଦ୍ବିତୀୟ ବିମାନ ପାଇପ୍‌ ନେଇ ଦେହରାଡୁନ ଅଭିମୁଖେ ବାହାରିଥିଲା। ରାଉରକେଲାରୁ ଯାଇଥିବା ପାଇପ୍‌ ଗନ୍ତବ୍ୟସ୍ଥଳରେ ପହଞ୍ଚିସାରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ବିମାନରେ ୬ଟି ଲେଖାଏ ପାଇପ୍‌ ପରିବହନ କରାଯାଇଥିଲା। ଏହାର ମୋଟେଇ ୨୮/୩୨ ଇଞ୍ଚ ଳେଖାଏ ଥିବାବେଳେ ଲମ୍ବ ୨୦ ବିଶିଷ୍ଟ ଥିଲା। ତେବେ ନିର୍ଦ୍ଦିଷ୍ଟ ଗୋଟିଏ ଓଜନ ବିଶିଷ୍ଟ ପାଇପ୍‌ ପଠାଯାଇନି; ବରଂ ଦୁଇ ପ୍ରକାର, ଯଥା ୧.୮ ଟନ୍‌ ଓ ୧.୪ ଟନ୍‌ ବିଶିଷ୍ଟ ପାଇପ୍‌ ହିଁ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଛି। ସାଇ ସିଦ୍ଧାର୍ଥ ଲଜିଷ୍ଟିକ୍ସ୍ ପକ୍ଷରୁ ଆର୍‌ଏସ୍‌ପି ଭିତରୁ ହାଇଡ୍ରା ମାଧ୍ୟମରେ ପାଇପ୍‌ ଅଣାଯାଇ ବିମାନରେ ରଖାଯାଇଥିଲା। ପାଇପ୍‌ ପ୍ରେରଣ କାର୍ଯ୍ୟରେ ୪ ଜଣ କୁଶଳି ହାଇଡ୍ରା ଚାଳକଙ୍କ ସମେତ ୧୦ ଜଣ ଶ୍ରମିକ ନିୟୋଜିତ ଥିଲେ।

Spread the love