ଭାରସାମ୍ୟ ହରାଇ ପିକ୍‌ଅପ୍ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ

ମଦନପୁର ରାମପୁର: କଳାହାଣ୍ଡି ଜିଲ୍ଲା ମ. ରାମପୁର ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୫୯ର କେନ୍ଦୁଘାଟି ନିକଟ ତିନିଧାରିଆ ବୁଲାଣି ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ତନ୍ମଧ୍ୟରୁ ୭ ଜଣ ଗୁରୁତର ଥିବା ଜଣାଯାଇଛି।
କନ୍ଧମାଳ ଜିଲ୍ଲାର ଶେଷ ସୀମା ସୁନା ଗାଁର କେତେ ଜଣ ପୁରୁଷ ଓ ମହିଳା ମ. ରାମପୁର ବ୍ଲକ୍‌ର ଅଁଳାପାଲି ଗ୍ରାମକୁ ବୁଧବାର ସକାଳେ ଚୁଡ଼ା ପେଷାଇବାକୁ ଆସିଥିଲେ। ସନ୍ଧ୍ୟାରେ ୧୪ ଜଣ ଚୁଡ଼ା ଧରି ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଗାଁକୁ ଫେରୁଥିଲେ। ତିନିଧାରିଆ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ଜନନୀ ପାତ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୧୩ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅଛନ୍ତି। ତେବେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି।

ଆହତମାନେ ହେଲେ ଶକୁନ୍ତଳା ପାତ୍ର, ପଲଙ୍ଗି ମଲ୍ଲିକ, ଶକୁନ୍ତଳା ପାତ୍ର, ସୁବନ୍ତୀ ମଲ୍ଲିକ, ଲକ୍ଷ୍ମୀ ମାଝୀ, ନୃପତି ପାତ୍ର, ଝୁନି ମାଝୀ, ବିନ୍ଦୁମଣି ପାତ୍ର, ପୁନେଇ ପାତ୍ର, ବୈଶାଖୀ ପାତ୍ର, ସୁମି ମାଝୀ ଓ ମୁଖେଇ ପାତ୍ର। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆମ୍ବୁଲାନ୍ସ ଓ ଅଟୋ ଯୋଗେ ଆହତଙ୍କୁ ଉଦ୍ଧାର କରି ମ. ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ୭ ଜଣ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Spread the love