ଚିଲିକାରେ ପକ୍ଷୀ ସମ୍ଭାର: ନଳବଣରେ ବଢ଼ୁଛି ବିଦେଶୀ ପକ୍ଷୀଙ୍କ ଆଗମନ

କୃଷ୍ଣପ୍ରସାଦ: ପର୍ଯ୍ୟଟନ ଋତୁର ଆଗମନରେ ନୀଳାମ୍ବୁ ଚିଲିକା ଭ୍ରମଣରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ବିଦେଶାଗତ ଅତିଥି ପକ୍ଷୀଙ୍କ ସମ୍ଭାର ଦେଖିବାକୁ ମିଳିଛି। ସୁଦୂର ସାଇବେରିଆ, ମାଲେସିଆ, ହିମାଳୟ, ଆଫଗାନିସ୍ତାନ, କାଜାଖ୍‌ସ୍ତାନ ଆଦି ଅଞ୍ଚଳରୁ ଚିଲିକାକୁ ହଜାର ହଜାର ପକ୍ଷୀଙ୍କ ଆଗମନ ଚିଲିକାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି।

ପ୍ରତିବର୍ଷ ଭଳି ଚଳିତବର୍ଷ ଅକ୍ଟୋବର ମାସଠାରୁ ବିଦେଶୀ ପକ୍ଷୀଙ୍କ ଆଗମନକୁ ଦୃଷ୍ଟିରେ ରଖି ବାଲୁଗାଁ ବନାଞ୍ଚଳ ବନ୍ୟାପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ତରଫରୁ ପକ୍ଷୀ ସୁରକ୍ଷା ନିମନ୍ତେ ଚତୁପାର୍ଶ୍ୱରେ ସୁରକ୍ଷା କର୍ମୀଙ୍କ ସହ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପକ୍ଷୀ ଅଭୟାରଣ୍ୟ ଭାବେ ପରିଚିତ ଚିଲିକା ମଧ୍ୟସ୍ଥ ନଳବଣରେ ୯୧ ପ୍ରଜାତିର ୧ ଲକ୍ଷ ୬୫ ହଜାର ୯୮୧ ବିଦେଶାଗତ ପକ୍ଷୀ ବିଚରଣ କରୁଥିବା ବେଳେ ରମ୍ଭା, ବାଲୁଗାଁ, ଚିଲିକା ନୂଆପଡ଼ା, ସାତପଡା ରେଞ୍ଜ୍‌ ଅଧୀନ ଚିଲିକାରେ ଲକ୍ଷାଧିକ ପକ୍ଷୀ ସମ୍ଭାର ଦେଖିବାକୁ ମିଳିଛି। ବରଫାଞ୍ଚଳରୁ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପକ୍ଷୀମାନେ ଚିଲିକାକୁ ଆସୁଥିବା ବାଲୁଗାଁ ବନାଞ୍ଚଳ ଅଧିକାରୀ ରଶ୍ମିତା ଜେନା ସୂଚନା ଦେଇଛନ୍ତି। ଚଳିତବର୍ଷ କୃଷ୍ଣପ୍ରସାଦ ଅଞ୍ଚଳରେ ବର୍ଷା ଅଭାବରୁ ଚିଲିକାର ଜଳସ୍ତର କମ୍‌ ଥିବାରୁ ପକ୍ଷୀମାନଙ୍କ ନିମନ୍ତେ ଆହାରର ଅଭାବ ଦେଖାଯାଉନଥିବା ପରିଲକ୍ଷିତ ହେଉଛି। ଅନେକ ପକ୍ଷୀ ଖାଦ୍ୟ ଅନ୍ୱେଷଣରେ ଗାଁ’ ମୁହାଁ ହୋଇ ଧାନବିଲ ଓ ନିକଟସ୍ଥ କେନାଲରେ କଇଁ ନାଡ଼, କଟକୀଦଳକୁ ଆହାର ରୂପେ ଗ୍ରହଣ କରୁଥିବା ଚିଲିକା ନୂଆପଡ଼ା ବନାଞ୍ଚଳ ଅଧିକାରୀ କାଶୀନାଥ ହେମ୍ବ୍ରମ୍‌ ସୂଚନା ଦେଇଛନ୍ତି।

ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀ ଗଣନା ସମୟରେ ଚିଲିକାରେ ୫୭,୭୫୬ ପକ୍ଷୀ ବୃଦ୍ଧି ପାଇଥିବା ଜଣାପଡ଼ିଛି। ୨୦୨୩ ମସିହା ଜାନୁଆରି ୪ ତାରିଖ ପକ୍ଷୀ ଗଣନା ସମୟରେ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଥିବା ଗଣନାରୁ ଜଣାପଡ଼ିଛି। ଚଳିତବର୍ଷ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ଥିବାରୁ ୨୦୨୪ ପକ୍ଷୀ ଗଣନା ସମୟରେ ଚିଲିକାରେ ପୂର୍ବବର୍ଷ ଅପେକ୍ଷା ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବ ବୋଲି ବନବିଭାଗ ଆକଳନ କରୁଛି। ପକ୍ଷୀ ଅଭୟାରଣ୍ୟ ନଳବଣ ଚତୁପାର୍ଶ୍ୱରେ ବନବିଭାଗ ତରଫରୁ ଖୁଣ୍ଟ ପୋତି ପର୍ଯ୍ୟଟକଙ୍କ ଅନୁପ୍ରବେଶ ରୋକିବା ପାଇଁ ନଳବଣ ସୀମାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ବନବିଭାଗ ତରଫରୁ ଗାଁ’ ଗାଁ’ ରେ ପୋଷ୍ଟର୍‌ ବ୍ୟାନର୍‌ ଲଗାଇ ବୈଠକ ଦ୍ୱାରା ପକ୍ଷୀ ସୁରକ୍ଷା ପାଇଁ ସଚେତନ କରାଯାଉଛି। ସେହିପରି ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରେ ପାଟ୍ରୋଲିଂ ଟିମ ଗଠନ ହୋଇ ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ସଂଲଗ୍ନ ଚିଲିକାରେ ବନବିଭାଗ ଓ ସୁରକ୍ଷା କର୍ମଚାରୀ ପଇଁତରା ମାରୁଥିବା ଦେଖିବାକୁ ମିଳୁଛି।

Spread the love