ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ମହୁଆ ମୈତ୍ରଙ୍କୁ ଜେରା କରିପାରେ ସିବିଆଇ

ନୂଆଦିଲ୍ଲୀ: ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ଲୋକପାଳଙ୍କ ନିର୍ଦ୍ଦେଶରେ ସିବିଆଇ ଏହି ଯାଞ୍ଚ ଆରମ୍ଭ କରିଛି। ସାଂସଦଙ୍କ ବିରୋଧରେ ଏହି ମାମଲାରେ ଅପରାଧିକ ମାମଲା ରୁଜୁ ହେବ କି ନାହିଁ ତାହା ପ୍ରାରମ୍ଭିକ ପର୍ଯ୍ୟାୟ ତଦନ୍ତ ପରେ ସ୍ପଷ୍ଟ ହେବ। ସିବିଆଇ ଏହି ମାମଲାରେ ପ୍ରଥମେ ତଥ୍ୟ ହାସଲ କରିବା ସହ ଦସ୍ତାବିଜଗୁଡ଼ିକ ଯାଞ୍ଚ କରିବ ଏବଂ ଟିଏମ୍‌ସି ସାଂସଦଙ୍କୁ ଜେରା ମଧ୍ୟ କରିପାରେ ବୋଲି ଜଣାପଡ଼ିଛି।୪ଏହି ମାମଲା ନେଇ ସୁପ୍ରିମ୍‌କୋର୍ଟ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ ସିବିଆଇରେ ଅଭିଯୋଗ ଦାଖଲ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ସାଂସଦ ମୈତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଉଥିଲେ। ସେ ଏ ବାବଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ବି ପତ୍ର ଲେଖିଥିଲେ। ଦୁବେଙ୍କ ଅଭିଯୋଗ ଆଧାରରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ମାମଲାକୁ ସଦାଚାର କମିଟିକୁ ପଠାଇଥିଲେ। ଲୋକପାଳଙ୍କ ନିକଟରେ ମଧ୍ୟ ଏହି ଅଭିଯୋଗ ଦାଖଲ କରାଯାଇଥିଲା ଏବଂ ଏହାର ସିବିଆଇ ତଦନ୍ତ ପାଇଁ ଲୋକପାଳ ନିର୍ଦ୍ଦେଶ ଦେଇଥିଲେ।

Spread the love