ବବିଙ୍କୁ ମିଳିଲା କି ତାଙ୍କ ମୂଲ୍ୟ? ଚର୍ଚ୍ଚାରେ ‘ଆନିମଲ୍‌’ର ଭୂମିକା

ମୁମ୍ବାଇ: ଏ ଖବରଟି ମଧ୍ୟ ରିଲିଜ୍‌ ହେବାକୁ ଯାଉଥିବା ଫିଲ୍ମ ‘ଆନିମଲ୍‌’ ପ୍ରସଙ୍ଗରେ। ‘ଆନିମଲ୍‌’ରେ ମୁଖ୍ୟ ଭୂମିକାରେ ତ ଅଛନ୍ତି ରଣବୀର କପୁର ଓ ରଶ୍ମିକା ମନ୍ଦାନା। ଫିଲ୍ମରେ ତୃତୀୟ ଚରିତ୍ର ଭାବେ ଅଛନ୍ତି ବବି ଦେଓଲ୍। ସେଥିରେ ବବିଙ୍କର ଭୂମିକା କ’ଣ ଅଛି, ଏଯାଏ ସ୍ପଷ୍ଟ ହୋଇନାହିଁ ବା ଜଣା ପଡ଼ିନାହିଁ। ତେବେ ଟ୍ରେଲର୍‌ରୁ ଯାହା ଅନୁମାନ କରାଯାଉଛି, ସେ ସେଥିରେ ଏକ ରହସ୍ୟମୟ ଚରିତ୍ରରେ ଅଭିନୟ କରିଛନ୍ତି। ସେ ସମ୍ଭବତଃ କାହାଣୀର ଖଳନାୟକ! ଟ୍ରେଲର୍‌ରେ ବବିଙ୍କ ମୁହଁରେ କୌଣସି ସଂଳାପ ନାହିଁ, କିନ୍ତୁ ସେଇ ନିରବତା ଭିତରେ ବି ସେ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିବାରେ ସଫଳ ହୋଇଛନ୍ତି।‘ଆନିମଲ୍‌’ର ଟ୍ରେଲର୍ ରିଳିଜ୍ ହେବା ପରେ ଏବେ ସୋସିଆଲ୍ ମିଡିଆରେ ବବିଙ୍କର ସେଇ ତୀକ୍ଷ୍‌ଣ ଅଭିନୟ ଓ ଭୟଙ୍କର ଚେହେରାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି, ବହୁ ଲୋକ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଅନେକ ମତ ଦେଇଛନ୍ତି ଯେ ବବି ଶେଷରେ ନିଜ ଅଭିନୟ ଦକ୍ଷତାକୁ ପ୍ରମାଣିତ କରିବା ଭଳି ଏକ ଭୂମିକା ପାଇଛନ୍ତି। ଅନେକ ଏହା ମଧ୍ୟ କହିଛନ୍ତି ଯେ ବବିଙ୍କୁ ତାଙ୍କ ପରିଶ୍ରମ ଓ ଅପେକ୍ଷାର ମୂଲ୍ୟ ମିଳିଛି। ଲୋକଙ୍କ ପ୍ରତିକ୍ରିୟାକୁ ନେଇ ବବି ଖୁବ୍ ଆନନ୍ଦିତ। ତାଙ୍କୁ ଏଇଥିପାଇଁ ଅଧିକ ଖୁସି ଲାଗୁଛି ଯେ ଏ ଟ୍ରେଲର୍‌ରୁ ତାଙ୍କ ଅଭିନୟକୁ ତାଙ୍କ ବାପା ଧର୍ମେନ୍ଦ୍ର ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି। ‘ଆନିମଲ୍‌’ ଡିସେମ୍ବର ୧ ତାରିଖରେ ରିଲିଜ୍ ହେବାକୁ ଯାଉଛି।

Spread the love