ନିର୍ବାଚନ ପ୍ରଚାର ବେଳେ ହାଇଦ୍ରାବାଦ ରେସ୍ତୋରାଁକୁ ଗଲେ ରାହୁଲ୍‌ ଗାନ୍ଧୀ, ଲୋକଙ୍କ ସହିତ କଥା କହିଲେ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶନିବାର ଦିନ ରାହୁଲ୍‌ ଗାନ୍ଧୀ ହାଇଦ୍ରାବଦସ୍ଥିତ ଏକ ରେସ୍ତୋରାଁକୁ ଯାଇ ସେଠାକାର କର୍ମଚାରୀ ଓ ଉପସ୍ଥିତ ଲୋକମାନଙ୍କ ସହିତ ମନଖୋଲି କଥାବାର୍ତ୍ତା କରିଛନ୍ତି। ଧଳା ‘ପୋଲୋ’ ଟି-ସାର୍ଟ ଓ ସାଧାରଣ ପ୍ୟାଣ୍ଟ୍‌ ପରିହିତ ରାହୁଲ୍‌ ଗାନ୍ଧୀ ମଧ୍ୟାହ୍ନ ଭୋଜନ ଖାଇବା ଲାଗି ‘ବାୱର୍ଚି’ ନାମକ ରେସ୍ତୋରାଁକୁ ଯାଇଥିଲେ। ସେଠାରେ କର୍ମଚାରୀ ଓ ଉପସ୍ଥିତ ଥିବା ଗ୍ରାହକମାନଙ୍କୁ ଭଲମନ୍ଦ ପଚାରି ବୁଝିବା ସହିତ ସାଧାରଣ କଥାବାର୍ତ୍ତା କରିଥିଲେ। ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓ କ୍ଲିପ୍‌ରେ ଦେଖାଯାଉଛି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ସହିତ ତେଲେଙ୍ଗାନା ରାଜ୍ୟରେ ନିର୍ବାଚନ ପ୍ରଚାର ଅଭିଯାନର ନେତୃତ୍ବ ନେଇଥିବା ରାହୁଲ୍‌ ଗାନ୍ଧୀଙ୍କ ରୋସ୍ତୋରାଁ ଟେବୁଲ ନିକଟରେ କେତେକ ଲୋକ ଘେରି ଯାଇ କଥାବାର୍ତ୍ତା କରୁଛନ୍ତି।

ସୂଚନାଯୋଗ୍ୟ, ‘ବିଆର୍‌ଏସ୍‌’ ଶାସିତ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଏବଂ ଡିସେମ୍ବର ୩ ତାରିଖ ଦିନ ଭୋଟ୍‌ ଗଣନା କରାଯିବ। ଶନିବାର ପୂର୍ବାହ୍ନରେ ପ୍ରଚାର ଅଭିଯାନ ବେଳେ ରାହୁଲ୍‌ ଗାନ୍ଧୀ ହାଇଦ୍ରାବାଦର ଅଶୋକ ନଗରରେ ଯୁବକମାନଙ୍କ ସହିତ ଭାବ ବିନିମୟ କରିଥିଲେ। ଏ ସଂକ୍ରାନ୍ତରେ ‘ଏକ୍ସ୍‌’ କରି ରାହୁଲ୍‌ କହିଛନ୍ତି, ଆଜି ହାଇଦ୍ରାବାଦର ଅଶୋକ ନଗରରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବକମାନଙ୍କୁ ଭେଟିଥିଲି। ତେଲେଙ୍ଗାନା ରାଜ୍ୟ ହେଲେ ସଫଳ ହେବେ ବୋଲି ସେମାନେ ଆଶା କରିଥିଲେ। କିନ୍ତୁ, ତେଲେଙ୍ଗାନା ରାଜ୍ୟ ହେବାର ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ସେମାନଙ୍କର ଆଶା ପରିପୂରଣ ହୋଇ ନ ଥିବା କଥା ମତେ ବିବ୍ରତ କରିଛି।

Spread the love