ପୁଲିସ ପରିଚୟ ଦେଇ ରେଳ ଷ୍ଟେସନ୍‌ରେ ଅପେକ୍ଷାରତ ମହିଳାଙ୍କୁ ଟାଣି ନେଇ ଦୁଷ୍କର୍ମ କଲେ ୨ ଦୁର୍ବୃତ୍ତ

ଅଶୋକ ନଗର: ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲା ଅନ୍ତର୍ଗତ ଏକ ରେଳ ଷ୍ଟେସନ୍‌ରେ ସ୍ବାମୀଙ୍କ ସହିତ ଟ୍ରେନ୍‌ ଅପେକ୍ଷାରେ ଥିବା ଜଣେ ମହିଳାଙ୍କୁ ପୁଲିସ ବୋଲି ପରିଚୟ ଦେଇ ୨ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା କଥା ଶନିବାର ଦିନ ପୁଲିସ କହିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ଶୁକ୍ରବାର ବିଳମ୍ବିତ ରାତ୍ରରେ ମୁଙ୍ଗାୱଲି ରେଳ ଷ୍ଟେସନ୍‌ରେ ଏହି ଘଟଣା ଘଟିଛି। ରାଜସ୍ଥାନର ଜୟପୁରକୁ ଯିବା ନିମନ୍ତେ ନିର୍ଦ୍ଧାରିତ ଟ୍ରେନ୍‌ ‘ମିସ୍‌’ କରିବା ପରେ ସେଠାରେ ୩୦ ବର୍ଷରୁ ଅଧିକ ବୟସ୍କା ଉକ୍ତ ମହିଳା ଓ ତାଙ୍କ ସ୍ବାମୀ ଅନ୍ୟ ଟ୍ରେନ୍‌କୁ ଅପେକ୍ଷା କରି ବସିଥିଲେ। ଅଶୋକ ନଗର ଗଭର୍ଣ୍ଣମେଣ୍ଟ୍‌ ରେଲ୍‌ୱେ ପୋଲିସ୍‌ର (ଜିଆର୍‌ପି) ଷ୍ଟେସନ୍‌ ଇନ୍‌-ଚାର୍ଜ ଜେ. ଏଲ୍‌. ଅହିରୱାର୍‌ କହିଛନ୍ତି, ‌ଉକ୍ତ ମହିଳାଙ୍କ ସ୍ବାମୀ ଜଣେ ମଦ୍ୟପ। ମଦ ଯୋଗାଡ଼ କରିବା ଲାଗି ସେ ଷ୍ଟେସନ୍‌ରୁ ବାହାରି ଯାଇଥିଲେ। ସେଥିପାଇଁ ସେମାନେ ଟ୍ରେନ୍‌ ‘ମିସ୍‌’ କଲେ।

ତା’ପରେ ସାଦା ପୋଷାକ ପିନ୍ଧିଥିବା ପୁଲିସ ବୋଲି ପରିଚୟ ଦେଇ ୨ଜଣ ବ୍ୟକ୍ତି ଦୁହିଁଙ୍କ ପାଖରେ ପହଞ୍ଚି ସେମାନଙ୍କ ଟିକେଟ୍‌ ଯାଞ୍ଚ କରିବା ସହିତ ଅନ୍ୟାନ୍ୟ କଥା ପଚାରି ଥିଲେ। ସ୍ବାମୀସ୍ତ୍ରୀ ଅଭିଯୁକ୍ତ ଦୁହିଁଙ୍କୁ ପରିଚୟ ପତ୍ର ଦେଖାଇବାକୁ କହିବାରୁ, ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସ୍ବାମୀଙ୍କ ସହିତ ଯୁକ୍ତିତର୍କ କରି ଚାପୁଡ଼ା ମାରିଲେ ବୋଲି ଅହିର୍‌ୱାର୍‌ କହିଛନ୍ତି। ତା’ପରେ ଜଣେ ଅଭିଯୁକ୍ତ ସ୍ବାମୀଙ୍କୁ ସେଠାରୁ ଦୂରକୁ ନେଇ ଗଲେ ଓ ଅନ୍ୟଜଣକ ସ୍ତ୍ରୀକୁ ବଳପୂର୍ବକ ପାଖର ଥିବା ଅରମା ବା ଜଙ୍ଗଲିଆ ଅଞ୍ଚଳକୁ ଟାଣି ନେଇ ତାଙ୍କ ସହିତ ଦୁଷ୍କର୍ମ କଲେ। ପୁଣି ଅନ୍ୟ ଅଭିଯୁକ୍ତଜଣକ ଆସି ଉକ୍ତ ମହିଳାଙ୍କ ସହିତ ଦୁଷ୍କର୍ମ କଲେ ବୋଲି ସେ କହିଛନ୍ତି। ଦୁଇ ଅପରିଚିତ ଅଭିଯୁକ୍ତଙ୍କ ନାଁରେ ଗଣଦୁଷ୍କର୍ମ ମାମଲା ରୁଜୁ କରି ସେମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚାଲିଥିବା କଥା ପୁଲିସ କହିଛି।

Spread the love