ଉତ୍ତରକାଶୀ ସୁଡ଼ଙ୍ଗରୁ ୪୧ ଶ୍ରମିକଙ୍କୁ ବାହାର କରିବା ଲାଗି ‘ଭର୍ଟିକାଲ୍‌ ଡ୍ରିଲିଙ୍ଗ୍‌’ ଆରମ୍ଭ

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଅନ୍ତର୍ଗତ ସିଲ୍‌କ୍ୟାରା ସୁଡ଼ଙ୍ଗରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଆଜି ଅପରାହ୍ଣରେ ‘ଭର୍ଟିକାଲ୍‌ ଡ୍ରିଲିଙ୍ଗ୍‌’ ବା ପାହାଡ଼ ଉପରୁ ତଳକୁ ଖନନ କାର୍ଯ୍ୟ ଆରମ୍ଭ ‌ହୋଇଥିବା କଥା ‘ନିଉଜ୍‌ ଏଜେନ୍‌ସି ଏ.ଏନ୍‌.ଆଇ.’ ରିପୋର୍ଟ କରିଛି। ଧସି ପଡ଼ିଥିବା ନିର୍ମାଣାଧୀନ ସୁଡ଼ଙ୍ଗରେ ଖୋଦନ କରୁଥିବା ‘ଅଗର୍‌ ମେସିନ୍‌’ ଅକାମିକା ହୋଇ ଭଗ୍ନସ୍ତୂପ ମଧ୍ୟରେ ଲାଖିଯିବାରୁ ତାକୁ କାଟି ବାହାର କରିବା ଲାଗି ହାଇଦ୍ରାବାଦରୁ ଗୋଟାଏ ‘ପ୍ଲାଜ୍‌ମା କଟର୍‌’ ଆସି ପହଞ୍ଚିବା ପରେ ‘ଭର୍ଟିକାଲ୍‌ ଡ୍ରିଲିଙ୍ଗ୍‌’ ଆରମ୍ଭ କରାଯାଇଛି। ଏଥିପାଇଁ ଗୋଟାଏ ‘ଡ୍ରିଲ୍‌ ମେସିନ୍‌’ର କିଛି ଅଂଶ ସୁଡ଼ଙ୍ଗ ଉପରିସ୍ଥ ପାହାଡ଼ ଉପରକୁ ନିଆଯାଇଛି।

ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ହେଲେ ଭଗ୍ନସ୍ତୂପ ମଧ୍ୟରେ ଲାଖିଯାଇଥିବା ଉକ୍ତ ‘ଅଗର୍‌ ଡ୍ରିଲିଙ୍ଗ୍‌ ମେସିନ୍‌’କୁ ସମ୍ପୂର୍ଣ୍ଣ ବାହାର କରିବାକୁ ପଡ଼ିବ। ତା’ପରେ ଯାଇ ଭଗ୍ନସ୍ତୂପ ମଧ୍ୟକୁ ମଣିଷଦ୍ବାରା ବା ‘ମାନୁଆଲ୍‌’ ଭାବେ ପାଇପ୍‌ ଭର୍ତ୍ତି କରାଯାଇ ଶ୍ରମିକ ଉଦ୍ଧାର ପଥ ପ୍ରସ୍ତୁତି କରାଯିବ। ଏହି ଉଦ୍ଧାର ଅଭିଯାନରେ ଭାରତୀୟ ସେନା ବି ଯୋଗ ଦେଇଛି। ସେମାନେ ‘ପ୍ଲାଜମା ମେସିନ୍‌’ଦ୍ବାରା କଟା ଯାଇ ଖଣ୍ଡ ଖଣ୍ଡ କରାଯାଇଥିବା ‘ଅଗର୍‌ ଡ୍ରିଲିଙ୍ଗ୍‌ ମେସିନ୍‌’ର ପ୍ଲେଟ୍‌ଗୁଡ଼ିକୁ ବାହାର କରିବାରେ ସହାୟତା କରିବେ। ସେହିପରି, ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ଆଜି ଭାରତୀୟ ବାୟୁସେନା ମଧ୍ୟ ‘ଡିଆର୍‌ଡିଓ’ର ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରପାତି ଧରି ଘଟଣାସ୍ଥଳରେ ପହଞ୍ଚିଛି।

Spread the love