ସେମିଳିଗୁଡ଼ା ମହାବିଦ୍ୟାଳୟରେ ସମ୍ୱିଧାନ ଦିବସ ପାଳିତ ‘ସମ୍ବିଧାନ ସମାନତାର ବାର୍ତ୍ତାବହ’

କୋରାପୁଟ,୨୭ ।୧୧: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ମହାବିଦ୍ୟାଳୟରେ  ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଦ୍ଵାରା ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଭାରତର ସମ୍ୱିଧାନ ଦ୍ୱାରା ଲୋକମାନେ କେମିତି ସୁରକ୍ଷିତ ହେଉଛନ୍ତି ସେ ବିଷୟରେ ସଚେତନତା କରାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟଥିଲା । ଏଥିରେ ମହାବିଦ୍ୟାଳୟର ପ୍ରତିଷ୍ଠାତା କୃଷ୍ଣସିଂହ, ପରିଚାଳନା କମିଟିର ସଭାପତି ଡ. ପ୍ରଦୀପ କୁମାର ବେହେରା, ଅଧ୍ୟକ୍ଷ ଡ.ରମାରଞ୍ଜନ ପଟ୍ଟନାୟକ, ବରିଷ୍ଠ ଅଧ୍ୟାପିକା ଡ.ଝାନସୀ ସିଂହ, ଡ.ଗୀତା ପଟ୍ଟନାୟକ, ଅଧ୍ୟାପକ ପ୍ରେମାନନ୍ଦ ରାଉତ, ଅଧ୍ୟାପକ ପ୍ରବୋଧ କୁମାର ମଳିକ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ସେମିଳିଗୁଡ଼ା ସହରର ଗଙ୍ଗା ମା’ ମନ୍ଦିର ନିକଟରୁ ବାହାରି ଭୀମରାଓ ଆମ୍ୱେଦକର ନଗର ପରିକ୍ରମଣ କରି ତଳସାହିରେ ଥିବା ଶ୍ରୀଅରବିନ୍ଦ ପାଠଗାରରେ ପହଞ୍ଚିଥିଲା । ସେଠାରେ ଏକ ସଭାକାର୍ଯ୍ୟ ଆୟୋଜନ ହୋଇଥିଲା ।ଏଥିରେ ମୁଖ୍ୟଅତିଥି ଭାବରେ କୃଷ୍ଣସିଂହ ଏବଂ ମୁଖ୍ୟ ବକ୍ତାଭାବରେ ଡ.ପ୍ରଦୀପ ବେହେରା ସମ୍ୱିଧାନର ମୂଲ୍ୟବୋଧ ସମ୍ୱିଧାନ ଆମମାନଙ୍କର ସୁରକ୍ଷା ତଥା ଏକତା ରକ୍ଷା କରିବା ଦିଗରେ କିଭଳି ରକ୍ଷାକବଚ ଭାବରେ କାର୍ଯ୍ୟ କରୁଛି ସେ ବିଷୟରେ ଆଲୋଚନା କରାଯାଇଥିଲା । ସମାଜରେ ଅସ୍ପୃଶ୍ୟତା କିଭଳି ଲୋକମାନଙ୍କ ମଧ୍ୟରେ ଏକ ବ୍ୟାଧି ଭାବରେ ବିଭେଧତା ଆଜିବି ସୃଷ୍ଟି କରୁଛି ଏବଂ ଏହାର ନିରାକରଣ ଦିଗରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଛାତ୍ରମାନଙ୍କ ମଧ୍ୟରେ ଲବ ସଦାପେଲି, ହରିନାଥ ପାମ୍ୱିଆ, କୃଷ୍ଣ ଦିସାରୀ ଏବଂ ପବିତ୍ର ସାନ୍ତା ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପିକା ଡ. ଝାନସୀ ସିଂହ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ୱିଧାନପ୍ରତି ସଚେତନତା ବୃଦ୍ଧି ପାଇଁ ଏକ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ଅଧ୍ୟାପକ ପ୍ରବୋଧ କୁମାର ମଳିକ ଧନ୍ୟବାଦ ଅର୍ପଣ କରି ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଜଣାଇବା ସହ ଏହି ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ନିଶ୍ଚିତଭାବରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବୃଦ୍ଧି କରିବା ଦିଗରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ୱିଧାନ ଦିବସକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love