ପୂରା ଉଦ୍ଧାର ପ୍ରକ୍ରିୟାକୁ ଦେଖୁଥଲେ ମୋଦୀ; ଶ୍ରମିକ ସୁଡ଼ଙ୍ଗରୁ ବାହାରକୁ ଆସିବା ପରେ ହୋଇପଡ଼ିଲେ ଭାବପ୍ରବଣ

ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡର ସୁଡ଼ଙ୍ଗରେ ଫସିଥିବା କର୍ମଚାରୀମାନଙ୍କୁ ଉଦ୍ଧାର କରାଯାଇଛି।  ଏହି ଉଦ୍ଧାର ପ୍ରକ୍ରିୟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତୀକ୍ଷ୍ଣ ନଜର ରଖିଥିଲେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଟେଲିଭିଜନରେ ସମଗ୍ର ପ୍ରକ୍ରିୟାକୁ ସିଧା ଦେଖୁଥିଲେ। କେବଳ ମୋଦୀ ନୁହଁନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ପୂରା କ୍ୟାବିନେଟ ଉଦ୍ଧାର କାର୍ଯ୍ୟକୁ ଲାଇଭ ଦେଖିଛି। ଫସି ରହିଥିବା ଶ୍ରମିକମାନଙ୍କୁ ନିରାପଦ ଭାବେ ସ୍ଥାନାନ୍ତର ପରେ ପ୍ରଧାନମନ୍ତ୍ରୀ ବେଶ୍‌ ଭାବପ୍ରବଣ ହୋଇ ପଡ଼ିଥିଲେ ବୋଲି ସୂଚନା ରହିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ‘‘ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ଶ୍ରମିକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଥାଏ ଏବଂ ଶ୍ରମିକମାନେ ବାହାରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ।’’

ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଡାକ୍ତରଖାନାରେ ଶ୍ରମିକମାନଙ୍କୁ ଭେଟିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ଶ୍ରମିକମାନଙ୍କୁ ସାକ୍ଷାତ୍‌ କରି ମୁଖ୍ୟମନ୍ତ୍ରୀ ଧାମି ନିଶ୍ଚିତ କରିଛନ୍ତି ଯେ ସେମାନେ ସମସ୍ତେ ଭଲ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୨ ତାରିଖରେ ଉତ୍ତରପ୍ରଦେଶ ଜିଲ୍ଲାର ସିଲ୍କିଆରାଠାରେ ଭୁଶୁଡି ପଡିଥିବା ସୁଡ଼ଙ୍ଗରେ ଫସି ରହିବାର ୧୭ ଦିନ ପରେ ଗତକାଲି ସନ୍ଧ୍ୟାରେ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉତ୍ତରାଖଣ୍ଡ ସୁଡ଼ଙ୍ଗ ଭିତରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହରକୁ ବାହାର କରାଯାଇଛି। ‘ରାଟ୍‌-ହୋଲ୍‌ ମାଇନର୍ସ’ର ଉଦ୍ଧାରକାରୀମାନେ ଡ୍ରିଲ କରିବା ସମୟରେ ହିରୋ ଭାବରେ ଉଭା ହୋଇଥିଲେ। ଉଦ୍ଧାର ପରେ ଫସି ରହିଥିବା ଶ୍ରମିକଙ୍କ ମୁହଁରେ ଥିବା ହସ ସେମାନଙ୍କର ସମସ୍ତ ପରିଶ୍ରମକୁ ସାର୍ଥକ କରିଦେଇଛି।

Spread the love