ସ୍ବାସ୍ଥ୍ୟସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର : ନିଃସ୍ବାର୍ଥପର ଭାବେ ନିଷ୍ଠାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର:  ଆଜି ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ  ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା ।
ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଭାବେ ଯୋଗ ଦେଇଥିବା ନର୍ସିଂ ଅଫିସରମାନଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନ୍‌ସ ନାଇଟେଙ୍ଗଲ ଓ ମଦର ଟେରେସାଙ୍କ ପରି ସେବାର ପ୍ରତିମୂର୍ତ୍ତୀ ମାନଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ନିଃସ୍ବାର୍ଥପର ଭାବେ ନିଷ୍ଠାର ସହ ସେବାର ଏହି ମୂର୍ତ୍ତୀମନ୍ତ ପ୍ରତୀକମାନଙ୍କ ଆଦର୍ଶରେ କାମ କଲେ, ନିଜ ପାଇଁ ସେମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରୋଗୀ ସେବା ପରି ଏକ ମହାନ ସେବାରେ ଯୋଗ ଦେଇଥିବାରୁ ନୂଆ ଅଧିକାରୀଙ୍କୁ ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସ୍ବାସ୍ଥ୍ୟ ସେବାର ମୂଳମନ୍ତ୍ର ହେଉଛି ପ୍ରତି ଜୀବନ ମୂଲ୍ୟବାନ । ଏହି ଆଦର୍ଶ ନେଇ ଆମେ କାମ କରୁଛୁ ।
ରାଜ୍ୟ ସରକାରଙ୍କ ୫ଟି ଉପକ୍ରମ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏହି ନୀତି ଦ୍ବାରା ଆମର ସ୍ବାସ୍ଥ୍ୟ ସେବା  ବ୍ୟବସ୍ଥା ଫଳପ୍ରଦ ହୋଇପାରିଛି । ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାରେ  ରୂପାନ୍ତର ଆଜି ସମସ୍ତେ ଅନୁଭବ କରିପାରୁଛନ୍ତି । ଧନୀ, ଗରିବ ଆଜି ସମସ୍ତେ ସରକାରୀ ହସ୍‌ପିଟାଲରେ ମାଗଣାରେ ଉତ୍ତମ ଚିକିତ୍ସା ସୁବିଧା ପାଉଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ ବ୍ୟବସ୍ଥାରେ ବହୁତ ଭଲ ଫିଡବ୍ୟାକ ଆସୁଛି । ଏହା ବହୁତ ଉତ୍ସାହପ୍ରଦ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ରାଜ୍ୟବାସୀଙ୍କୁ ପର୍ଯ୍ୟାପ୍ତ ଓ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆମେ ସବୁବେଳେ ପ୍ରୟାସ କରିଆସିଛୁ । ନୂତନ ମେଡିକାଲ କଲେଜ ପ୍ରତିଷ୍ଠା, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ନୂତନ ନିଯୁକ୍ତି ଜରିଆରେ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଚିଶ୍ଚିତ କରାଯାଇଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ନବନିଯୁକ୍ତ ନର୍ସିଂ ଅଫିସରମାନଙ୍କ ସହ ମତ ବିନିମୟ କରି କହିଥିଲେ ଯେ ଆପଣମାନେ ଆଜି ନୂଆ  ଚାକିରିରେ ଯୋଗ ଦେଇ ଯେପରି ଖୁସି ଅଛନ୍ତି,  ଆପଣମାନଙ୍କ ପାଖକୁ ଯେଉଁ ଲୋକ ଚିକିତ୍ସା ପାଇଁ ଆସିବେ, ତାଙ୍କୁ ମଧ୍ୟ ଆପଣମାନେ ଏପରି ଖୁସି ଦେବାକୁ ଉଦ୍ୟମ କରନ୍ତୁ। ସେମାନଙ୍କୁ ଭଲ ସେବା ଦିଅନ୍ତୁ । ସେ ଆହୁରି ମଧ୍ୟ କହିଥିଲେ ଯେ  ଲୋକମାନେ  ପୁଣ୍ୟ ପାଇଁ  ମନ୍ଦିର  ଯାଆନ୍ତି  କିନ୍ତୁ ଆପଣମାନେ   ଏପରି  ଚାକିରି  ପାଇଛନ୍ତି  ଯେଉଁଥିରେ  ରୋଗୀ  ସେବା  ଜରିଆରେ  ଆପଣ  ଭାଗବାନଙ୍କ  ଆଶୀର୍ବାଦ  ପାଇବେ  ଓ ପୁଣ୍ୟ ଅର୍ଜନ କରିବେ।  ସ୍ବଚ୍ଛତାର ସହ ସମସ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ ସେ ଆହ୍ବାନ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ପି.କେ ଜେନା କହିଥିଲେ ଯେ ୩୭୩୨ ଜଣ ନର୍ସିଂ ଅଫିସରଙ୍କ ନୂଆ ନିଯୁକ୍ତି ଆମର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ କରିବା ସହିତ ଆମର ଲକ୍ଷ୍ୟ ପୂରଣରେ ସହାୟକ ହେବ । ସମସ୍ତଙ୍କୁ ନିଷ୍ଠାର ସହ କାମ କରିବାକୁ ସେ ପରାମର୍ଶ ଦେଇଥିଲେ ।
ନୂତନ ଭାବେ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ମଧ୍ୟରୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜର ଲିପ୍‌ସା ନାୟକ, ମୟୁରଭଞ୍ଜର ଦିବ୍ୟଜ୍ୟୋତି ଖଣ୍ଡା ଏବଂ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ମିତା ବହିଦାର ପ୍ରମୁଖ ନିଯୁକ୍ତି ପ୍ରକ୍ରିୟାରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ସ୍ବଚ୍ଛତାର ସହ ଏବଂ ଖୁବ କମ୍‌ ସମୟ ମଧ୍ୟରେ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ ନିକଟରେ କୃତଜ୍ଞ।  ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡିଶା ସୁଖୀ ଓଡିଶା’ ଗଠନ ପାଇଁ ସେମାନେ ସମର୍ପିତ ହୋଇ କାର୍ଯ୍ୟ କରିବେ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନର୍ସିଂ ନିର୍ଦ୍ଦେଶକ ଡଃ ରାମଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love