‘ଟି-ସିରିଜ୍‌’ର ମାଲିକ ଭୂଷଣ କୁମାରଙ୍କ ବିରୋଧରେ ଚାଲିଥିବା ଦୁଷ୍କର୍ମ ଓ ଠକେଇ ଅଭିଯୋଗ ଖାରଜ କଲେ ଅଦାଲତ

ମୁମ୍ବାଇ: ମୁମ୍ବାଇ ପୁଲିସ ଫାଇଲ୍‌ କରିଥିବା ‘ବି- ସମରି ରିପୋର୍ଟ’କୁ ଗ୍ରହଣ କରି ଆଜି ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍‌ କୋର୍ଟ ‘ଟି-ସିରିଜ୍‌’ର ମାଲିକ ଭୂଷଣ କୁମାରଙ୍କ ବିରୋଧରେ ଚାଲିଥିବା ଦୁଷ୍କର୍ମ ଓ ଠକାଇ ଅଭିଯୋଗକୁ ଖାରଜ କରିଛନ୍ତି। ଏହି ରିପୋର୍ଟରେ ପୁଲିସ ଭୂଷଣ କୁମାରଙ୍କ ନାଁରେ ଦାଏର କରାଯାଇଥିବା ‘ଏଫ୍‌ଆଇଆର୍‌’ ବନ୍ଦ କରିବାକୁ ଅଦାଲତଙ୍କ ଅନୁମତି ଲୋଡ଼ିଥିଲା। ୨୦୨୩ ନଭେମ୍ବର ୯ ତାରିଖରେ ଅନ୍ଧେରୀ ମାଜିଷ୍ଟ୍ରେଟ୍‌ କୋର୍ଟ ଉକ୍ତ ରିପୋର୍ଟକୁ ଗ୍ରହଣ କରିବାରୁ କୁମାରଙ୍କ ନାଁ’ରେ ପଞ୍ଜିକୃତ କରାଯାଇଥିବା ‘ଏଫ୍‌ଆଇଆର୍‌’ର ପରିସମାପ୍ତି ଘଟିଛି।

ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତଙ୍କ ନାଁ’ରେ କୌଣସି ମାମଲା ମନ୍ଦ ଉଦ୍ଦେଶ୍ୟ ରଖି ମିଛରେ ଦାଏର କରାଯାଇଥିଲେ କି, ତଦନ୍ତ ପରେ କ‌ୌଣସି ପ୍ରମାଣ ନ ମିଳିଲେ  ‘ବି- ସମରି’ ରିପୋର୍ଟ ଫାଇଲ୍‌ କରାଯାଇଥାଏ। ସ୍ମରଣଯୋଗ୍ୟ, ୨୦୨୧ ଜୁଲାଇ ମାସରେ ‘ଡିଏନ୍‌ ନଗର ଥାନା’ରେ କୁମାରଙ୍କ ନାମରେ ଦୁଷ୍କର୍ମ ଓ ଠକେଇ କରିଥିବା ଦର୍ଶାଇ ‘ଏଫ୍‌ଆଇଆର୍‌’ ପଞ୍ଜୀକରଣ କରାଯାଇଥିଲା। କମ୍ପାନିର କେତେକ ପ୍ରୋଜେକ୍ଟରେ କାମ ଦେବା ବାହାନାରେ କୁମାର ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ। ତଦନ୍ତ କରିବା ପରେ ୨୦୨୨‌ରେ ପୁଲିସ ‘ବି- ସମରି’ ରିପୋର୍ଟ ଦାଏର କରିଥିଲା। କିନ୍ତୁ, ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ଅନ୍ଧେରୀ ମା‌ଜିଷ୍ଟ୍ରେଟ୍‌ କୋର୍ଟ ତାହାକୁ ଖାରଜ କରିଥିଲେ। କିନ୍ତୁ, ପରେ ଅଭିଯୋଗକାରିଣୀ କହିଲେ ଯେ, ପାରିପାର୍ଶ୍ବିକ ଭୁଲ୍‌ ବୁଝାମଣା ଯୋଗୁଁ ସେ କୁମାରଙ୍କ ନାଁରେ ଅଭିଯୋଗ କରିଥ‌ିଲେ। ଏଣୁ, ସେ ମାମଲା ପ୍ରତ୍ୟାହାର କରିନେଉଛନ୍ତି। ‘ବି- ସମରି’ ରିପୋର୍ଟ ଉପରେ ମଧ୍ୟ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି। ତା’ପରେ ପୁଣି ୨୦୨୩ରେ ପୁଲିସ ଦାଏର କରିଥିବା ‘ବି- ସମରି’ ରିପୋର୍ଟକୁ ଅଦାଲତ ଗ୍ରହଣ କରିଥିଲେ।

Spread the love