ବଢିବ ଭାରତର ଶକ୍ତି, କିଣାଯିବ ୯୬ଟି ତେଜସ୍ ବିମାନ, ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ  ସ୍ବଦେଶୀ ଜ୍ଞାନ  କୌଶଳରେ ନିର୍ମିତ ୯୭ଟି ତେଜସ୍ ଲଢୁଆ ବିମାନ ଓ ୧୫୬ଟି ପ୍ରଚଣ୍ଡ ଆଟାକ୍ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ଦିଆଯାଇଛି। ଏସବୁର ମୋଟ ମୂଲ୍ୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ହେବ । ଏହାଛଡ଼ା ଆଉ କିଛି ପ୍ରତିରକ୍ଷା ଉପକରଣ କ୍ରୟକୁ ମଧ୍ୟ ମଞ୍ଜୁରୀ ମିଳିଛି। ଭାରତୀୟ ବାୟୁସେନା ପାଇଁ ତେଜସ ମାର୍କ ୧-ଏ ଲଢୁଆ ବିମାନ ଏବଂ ବାୟୁସେନା ଓ ସେନା ପାଇଁ ହେଲିକପ୍ଟର କିଣାଯାଉଛି । ପରିଷଦ ମଧ୍ୟ କେତେକ ଅତିରିକ୍ତ ଚୁକ୍ତିକୁ ଅନୁମୋଦନ କରିଛି। ଏଗୁଡ଼ିକର ମୋଟ ଆନୁମାନିକ ମୂଲ୍ୟ ପାଖାପାଖି ୨ ଲକ୍ଷ କୋଟି ଟଙ୍କା।

ଯଦି ଏସବୁ ଡିଲ୍ ସଂପୂର୍ଣ୍ଣ ହୁଏ ତେବେ ଏହା ଭାରତର ଇତିହାସରେ ସ୍ୱଦେଶୀ ନିର୍ମାତାମାନଙ୍କୁ ମିଳିଥିବା ସବୁଠାରୁ ବଡ ଅର୍ଡର ହେବ । ଡିଏସିର ଅନୁମୋଦନ ମିଳିବା ପରେ ଏଣିକି ଏସବୁର ନିର୍ମାତାମାନଙ୍କ ସହ ଦର ସଂପର୍କିତ ଆଲୋଚନା ହେବ ଓ ଚୁକ୍ତି ହେବ, ଯାହାକି ଏକ ସମୟସାପେକ୍ଷ ପ୍ରକ୍ରିୟା । ଚୂଡ଼ାନ୍ତ ମୂଲ୍ୟ ଉପରେ ଆଲୋଚନା ହେବା ପରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏହି ଡିଲରେ ଚୂଡ଼ାନ୍ତ ଦସ୍ତଖତ କରିବ। ଶେଷରେ ଏହି ବିମାନଗୁଡ଼ିକ ବାୟୁସେନା ଓ ସେନାରେ ସାମିଲ ହେବ । ଏଥିପାଇଁ ଅତି କମରେ ୧୦ ବର୍ଷ ସମୟ ଲାଗିପାରେ ।

Spread the love