ସୁପ୍ରିମକୋର୍ଟଙ୍କ ରାୟକୁ ‘ଆଶାର କିରଣ’ କହିଲେ ପ୍ରଧାନମନ୍ତ୍ରୀ । ଟ୍ୱିଟ୍ କରି ଜମ୍ମୁ-କାଶ୍ମୀରବାସୀଙ୍କୁ ଦେଲେ ପ୍ରଗତିର ବାର୍ତ୍ତା

ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ନିଷ୍ପତ୍ତିକୁ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ସାରା ଜମ୍ମୁ-କାଶ୍ମୀରବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୋର୍ଟଙ୍କ ରାୟ ସେମାନଙ୍କ ପାଇଁ ପ୍ରଗତିର ପଥ ଉନ୍ମୋଚନ କରିଛି ବୋଲି କହିଛନ୍ତି ।ମୋଦୀ ଆହୁରି କହିଛନ୍ତି , ସୁପ୍ରିମକୋର୍ଟଙ୍କ ରାୟର ଅର୍ଥ, ୫ ଅଗଷ୍ଟ, ୨୦୧୯ରେ ନିଆଯାଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ । ଏହା ନିଷ୍ପତ୍ତି ଜମ୍ମୁ-କାଶ୍ମୀରରେ ଥିବା ଆମ ଭାଇ-ଭଉଣୀଙ୍କ ବିକାଶ ପାଇଁ ନିଆଯାଇଥିଲା । ଆଉ ଏହାକୁ କାଏମ ରଖି ଅଖଣ୍ଡ ଭାରତ ନେଇ ନୂଆ ବାର୍ତା ଦେଇଛନ୍ତି କୋର୍ଟ । ଜମ୍ମୁ-କାଶ୍ମୀର ଓ ଲଦାଖର ବାସିନ୍ଦାଙ୍କ ପାଇଁ କେନ୍ଦ୍ର ସରକାର ଦେଖିଥିବା ସମସ୍ତ ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ନିଜ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜିର ରାୟ କେବଶ ଐତିହାସିକ ନୁହେଁ ଏହା ଜମ୍ମୁ-କାଶ୍ମୀର ଓ ଲଦାଖ ପାଇଁ ନୂଆ ଆଶାର କିରଣ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

‘ଧାରା ୩୭୦ ଉଚ୍ଛେଦ ଉପରେ ଆଜି ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ ଏବଂ ୨୦୧୯ ଅଗଷ୍ଟ ୫ ତାରିଖରେ ଭାରତୀୟ ସଂସଦ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ ବଜାୟ ରଖିଛି। ଏହା ଜମ୍ମୁ, କଶ୍ମୀର ଏବଂ ଲଦାଖର ଆମ ର ଭଉଣୀ ଓ ଭାଇମାନଙ୍କ ପାଇଁ ଆଶା, ପ୍ରଗତି ଏବଂ ଏକତାର ଏକ ଚମତ୍କାର ଘୋଷଣା । ଅଦାଲତ ନିଜର ଗଭୀର ଜ୍ଞାନରେ ଏକତାର ସାରକୁ ସୁଦୃଢ଼ କରିଛନ୍ତି, ଯାହାକୁ ଭାରତୀୟ ଭାବରେ ଆମେ ସବୁଠାରୁ ଅଧିକ ପ୍ରିୟ ଏବଂ ସମ୍ମାନ ଦେଇଥାଉ’ । ‘ମୁଁ ଜମ୍ମୁ-କାଶ୍ମୀର ଏବଂ ଲଦାଖର ଶକ୍ତିଶାଳୀ ଲୋକଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଆପଣଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆମର ପ୍ରତିବଦ୍ଧତା ଅତୁଟ ରହିଛି । ପ୍ରଗତିର ସୁଫଳ ଯେପରି କେବଳ ଆପଣଙ୍କ ପାଖରେ ପହଞ୍ଚିବ ତାହା ନୁହେଁ ବରଂ ଧାରା ୩୭୦ ଯୋଗୁଁ କ୍ଷତିଗ୍ରସ୍ତ ଆମ ସମାଜର ସବୁଠାରୁ ଦୁର୍ବଳ ଏବଂ ଅବହେଳିତ ବର୍ଗଙ୍କୁ ମଧ୍ୟ ଏହାର ଲାଭ ପହଞ୍ଚାଇବାକୁ ଆମେ ସଂକଳ୍ପବଦ୍ଧ’ । ଆଜିର ରାୟ କେବଳ ଏକ ଆଇନଗତ ରାୟ ନୁହେଁ ବରଂ ଏହା ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି ଏବଂ ଏକ ଶକ୍ତିଶାଳୀ, ଅଧିକ ଅଖଣ୍ଡ ଭାରତ ଗଠନ ପାଇଁ ଆମର ସାମୂହିକ ସଂକଳ୍ପର ପ୍ରମାଣ ବୋଲି କହିଛନ୍ତି ମୋଦୀ ।

Spread the love