ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଡ.ମୋହନ ଯାଦବ

ଭୋପାଳ : ଡ. ମୋହନ ଯାଦବଙ୍କୁ ବିଜେପି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ତାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି । ତାଙ୍କର ପରିବାର ଓ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ଜାଣିବାକୁ ଲୋକମାନେ ଉତ୍ସୁକ ହୋଇପଡ଼ିଛନ୍ତି । 

ଉଜ୍ଜୈନର ବାସିନ୍ଦା ଡ. ଯାଦବ ବେଶ ଉଚ୍ଚଶିକ୍ଷିତ । ସେ ଏମବିଏ, ବିଏଏଲଏଲବି କରିବା ସହ ପିଏଚଡି କରିଛନ୍ତି । ସୀମା ଯାଦବ ତାଙ୍କର ପତ୍ନୀ ହୋଇଥିବା ବେଳେ ତାଙ୍କର ୨ ପୁଅ ଓ ଜଣେ ଝିଅ ଅଛନ୍ତି । ତାଙ୍କର ପାରିବାରିକ ବ୍ୟବସାୟ ଥିବା ସହ ସେ ଓକିଲାତି ବି କରିଛନ୍ତି । ଡ. ମୋହନ ଯାଦବଙ୍କ ରାଜନୈତିକ ଜୀବନ ୧୯୮୪ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେବା ପରେ ଆରମ୍ଭ ହୋଇଥିଲା । ସେ ମଧ୍ୟ ଆରଏସଏସର ଜଣେ ସକ୍ରିୟ ସଦସ୍ୟ । ସେ ୨୦୧୩ରେ ପ୍ରଥମ ଥର ପାଇଁ ଉଜ୍ଜୈନ ଦକ୍ଷିଣରୁ ନିର୍ବାଚନ ଲଢ଼ିଥିଲେ ଏବଂ ଏଥର କ୍ରମାଗତ ତୃତୀୟ ନିର୍ବାଚନ ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି । ଏଥର ସେ କଂଗ୍ରେସ ପ୍ରାର୍ଥୀ ଚେତନ ପ୍ରେମନାରାୟଣ ଯାଦବଙ୍କୁ ୧୨,୯୪୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏଥର ମୋହନ ଯାଦବଙ୍କୁ ୯୫,୬୯୯ ଖଣ୍ଡ ଭୋଟ ମିଳିଛି।

ମୋହନ ଯାଦବଙ୍କ ନାମ ଘୋଷଣା ଉଜ୍ଜୈନବାସୀଙ୍କ ପାଇଁ ଆଶ୍ଚର୍ଯ୍ୟଠାରୁ କମ୍ ନୁହେଁ, କାରଣ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ କେଉଁଠି ନଥିଲା, କିନ୍ତୁ ବିଧାୟକ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଥିଲା।  ସେ ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ଉଜ୍ଜୈନ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଥିଲେ ଏବଂ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଏମପି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ଯାଦବ ଜୁଲାଇ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଶିବରାଜ ସିଂ ଚୌହାନ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ଥିଲେ ।

Spread the love