ନିରାଶ ହେଲେ ରାଷ୍ଟ୍ରପତି; ଫୋନ କରି ଦୁଃଖ ବଖାଣିଲେ ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଗତମଙ୍ଗଳବାର ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ନକଲ ବା ଅନୁକରଣ କରି ଥଟ୍ଟା କରିଥିଲେ। ସଂସଦ ଭବନ ବାହାରେ ସେ ଏଭଳି କାର୍ଯ୍ୟ କରିବା ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମୋବାଇଲ ଫୋନ୍‌ରେ ଏହାର ଭିଡିଓ ରେକର୍ଡିଂ କରିଥିଲେ। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଭାଗ୍ୟଜନକ କହିବା ସହିତ ଉପରାଷ୍ଟ୍ରପତି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି।

ଉପରାଷ୍ଟ୍ରପତି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କ ଫୋନ ଆସିଥିଲା। ମୁଁ ଫୋନ ଉଠାଇବା ପରେ ସେ ଦୁଃଖ ବ୍ୟକ୍ତ କରି କହିଥିଲେ,‘‘ ସଂସଦରୁ ନିଲମ୍ବନକୁ ବିରୋଧ କରି ସଂସଦ ଭବନ ସାମ୍ନାରେ ବିରୋଧୀ ସାଂସଦମାନେ ଧାରଣାରେ ବସିଥିବାବେଳେ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷଙ୍କ ନକଲ କରିବା ସେଠାରେ ହାସ୍ୟରୋଳ ପରିବେଶ ସୃଷ୍ଟି କରିଥିଲା। ୨୦ବର୍ଷ ହେବ ମୁଁ ଏଭଳି ଅପମ‌ାନ ସହି ଆସୁଛି। ଉପରାଷ୍ଟ୍ରପତିଙ୍କ ସହ ସଂସଦ ଭବନରେ ଏଭଳି ଘଟଣା ଦୁର୍ଭାଗ୍ୟଜନକ। ’’

ମୁଁ ମୋଦୀଙ୍କ ଠାରୁ ଏକଥା ଶୁଣିବା ପରେ କହିଥିଲି କିଛି ଲୋକଙ୍କ ଖରାପ କାମ ମୋତେ ମୋ କର୍ତ୍ତବ୍ୟରୁ ଓହରାଇ ପାରିବ ନାହିଁ।’ ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୃର୍ମୁ ଏହି ଘଟଣାକୁ କେନ୍ଦ୍ର କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଦୁଃଖ ବ୍ୟକ୍ତ କରିଛନ୍ତି।

Spread the love