ଆଜିର ଯୁବପିଢୀ ସ୍ୱାଧୀନତା ସଂଗ୍ରାମୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ :ବିଜେପି

ଭୁବନେଶ୍ୱର : ଆଜି ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୩ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ରସୁଲଗଡସ୍ଥିତ ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ସେହିପରି ଆଜି ଭାରତର ମୁକ୍ତି ସଂଗ୍ରାମର ଅଗ୍ରଣୀ
ସେନାପତି ତଥା ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୧ ତମ ଜନ୍ମ ଜୟନ୍ତୀ ଅବସରରେ ଭିଏସଏସ ନଗର ଠାରେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତୀରେ ଶ୍ରୀ ମହାନ୍ତି ମାଲ୍ୟାର୍ପଣ କରି ଏହି ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱର ଗାଥାକୁ ସ୍ମରଣ କରିଥିଲେ । ବ୍ରିଟିଶ ଶାସନରେ ଭାରତ ସ୍ୱାଧୀନତା ପାଇବାରେ ଏହି ୨ ଜଣ ବୀର ମହାପୁରୁଷ ଅବଦାନ ଅବିସ୍ମରଣୀୟ । ଆଜିର ଯୁବପିଢୀ ଏହି ଦୁଇଜଣ ସ୍ୱାଧୀନତା ସଂଗ୍ରାମୀକୁ ମନେ ରଖି ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର । ସଶସ୍ତ୍ର
ଆନ୍ଦୋଳନ ଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ନେତାଜୀ ସୁବାଷ ବୋଷ ବିଶ୍ୱାସ କରୁଥିଲେ । ଅନ୍ୟପଟେ ବୀର ସୁରେନ୍ଦ୍ର ସାଏ ୨୦ ବର୍ଷ ଧରି ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ । ତାଙ୍କର ଅଭୁତ ସଙ୍ଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ଇଂରେଜ ମାନଙ୍କୁ ଅନେକ ସମୟରେ ବିପଦରେ ପକାଉଥିଲା
ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେହିପରି ଶ୍ରୀ ମହାନ୍ତି କଟକ ଠାରେ ନେତାଜୀ ସୁବାଷ ବୋଷଙ୍କ ଜନ୍ମ ସ୍ଥାନକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରି ନେତାଜୀଙ୍କ ଜିବନୀ ଏବଂ ତାଙ୍କ ଅବଦାନକୁ ମନେ ପକାଇଥିଲେ ।
ଭୁବନେଶ୍ୱରରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ମୁଖପାତ୍ର ଗୋଲକ ମହାପାତ୍ର, ଦିଲୀପ ମହାନ୍ତି, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବାବୁ ସିଂ, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love