ସାଧାରଣତନ୍ତ୍ର ଦିବସରେ ଘଟାଇଥାନ୍ତେ ବଡ ଧରଣର ଅଘଟଣ

ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ବାନ୍ଦିପୋରାର ହାଜିନ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ସହଯୋଗୀ ଭାବେ କାମ କରୁଥିବା 7 ଓଭର ଗ୍ରାଉଣ୍ଡ ୱାର୍କର(ଓଜିଡବ୍ଲୁ)ଙ୍କୁ ସେନା ଗିରଫ କରିଛି। ସେମାନଙ୍କଠାରୁ 2 ଟି ବନ୍ଧୁକ, 6 ଟି ଗ୍ରେନେଡ, 2 ଟି ୱାୟାରଲେସ୍‌ ସେଟ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ପରେ ସେମାନଙ୍କୁ ପଚରାଉଚରା ଜାରି ରହିଛି। ଓଜିଡବ୍ଲ୍ୟୁ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିଥାନ୍ତି। କିନ୍ତୁ ଗୁପ୍ତରେ ସେମାନେ ଆତଙ୍କବାଦୀଙ୍କ ପାଇଁ କାମ କରନ୍ତି। କୌଣସି ଆତଙ୍କୀ ଘଟଣାକୁ ଚୂଡ଼ାନ୍ତ ରୂପ ଦେବା ଲାଗି ଓଜିଡବ୍ଲ୍ୟୁମାନେ ଆତଙ୍କବାଦୀମାନଙ୍କ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରନ୍ତି। ସେମାନେ ସୁରକ୍ଷାକର୍ମୀମାନଙ୍କ ସମ୍ପର୍କରେ ଆତଙ୍କବାଦୀଙ୍କୁ ସୂଚନା ଦେଇଥାନ୍ତି। ଏହା ସହିତ ସେମାନଙ୍କ ପାଇଁ ଅସ୍ତ୍ରଶସ୍ତ୍ର, ଟଙ୍କା ଏବଂ ସୁରକ୍ଷିତ ଠିକଣାର ବନ୍ଦୋବସ୍ତ କରନ୍ତି। ତେଣୁ ଆତଙ୍କବାଦୀଙ୍କ ଭଳି ଓଜିଡବ୍ଲ୍ୟୁ ସେନା ପାଇଁ ବଡ଼ ଚ୍ୟାଲେଞ୍ଜଠାରୁ କମ୍‌ ହୋଇ ନ ଥାନ୍ତି। ସୂଚନା ଅନୁସାରେ, ଘାଟିରେ ବର୍ତ୍ତମାନ 300 ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ମାତ୍ର ଓଜିଡବ୍ଲ୍ୟୁଙ୍କ ସଂଖ୍ୟା 6 ହଜାରରୁ ଅଧିକ। ଏହି ଓଜିଡବ୍ଲ୍ୟୁମାନେ ଆତଙ୍କବାଦୀଙ୍କୁ ସହାୟତା କରିବା ସହିତ ଘାଟିରେ ହିଂସା ଏବଂ ପଥରମାଡ଼କୁ ପ୍ରୋତ୍ସାହିତ କରିଥାନ୍ତି।

Spread the love