ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ଯୋଗୁଁ କାର୍ତ୍ତି ଚିଦାମ୍ବରମଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ଏବେ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | କାରଣ ବର୍ତ୍ତମାନ କଂଗ୍ରେସ ତାଙ୍କୁ ଏକ ନୋଟିସ ପଠାଇଛି ଏବଂ ୧୦ ଦିନ ମଧ୍ୟରେ ତାଙ୍କ ଉତ୍ତର ଦେବାକୁ କହିଛି। ବାସ୍ତବରେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ଏକ ସାକ୍ଷାତକାରରେ କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକ ଲୋକପ୍ରିୟ। ଏହି ବିବୃତ୍ତି ଚିଦାମ୍ବରମଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ରାହୁଲ ଗାନ୍ଧୀଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ଲୋକପ୍ରିୟ ବୋଲି କହିଥିବାରୁ ତାମିଲନାଡୁ କଂଗ୍ରେସ ଅନୁଶାସନ କମିଟି ମୁଖ୍ୟ କେ.ଆର. ରାମାସାମୀ ଏକ କାରଣଦର୍ଶାଅ ନୋଟିସ୍ ପଠାଇଛନ୍ତି ଏବଂ ତାଙ୍କୁ ୧୦ ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି।
ତାଙ୍କ ସାକ୍ଷାତକାରରେ ସେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଉପରେ ମଧ୍ୟ ବିଶ୍ୱାସ ଥିବାର କହିଥିଲେ | ବାସ୍ତବରେ ଇଭିଏମକୁ ନେଇ ନିର୍ବାଚନ ଆୟୋଗଙ୍କ ସହ କଂଗ୍ରେସର ବିବାଦ ଚାଲିଛି । ଇଭିଏମର ବିଶ୍ୱସନୀୟତାକୁ ନେଇ କଂଗ୍ରେସ ଇଭିଏମ୍ ବ୍ୟବହାରକୁ ବିରୋଧ କରୁଛି। ଦଳର ବରିଷ୍ଠ ନେତା ଜୟରାମ ରମେଶ ପୁନର୍ବାର ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି ଏହି ପ୍ରସଙ୍ଗ ଉଠାଇଛନ୍ତି। ଆଉ କାର୍ତ୍ତି ଇଭିଏମକୁ ସମର୍ଥନ ସହ ମୋଦୀଙ୍କୁ ପ୍ରଶଂସା କରିଥିବାରୁ ଏବେ କାରଣ ଦର୍ଶାଅ ନୋଟିସ ପଠାଯାଇଛି | ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କାର୍ତ୍ତି ଚିଦାମ୍ବରମଙ୍କ ନିକଟତମ ସହଯୋଗୀମାନେ ଦାବି କରିଛନ୍ତି ଯେ କେବଳ ଅଲ ଇଣ୍ଡିଆ କଂଗ୍ରେସ କମିଟି ହିଁ କୌଣସି ସାଂସଦଙ୍କୁ ନୋଟିସ ଜାରି କରିବାର ଅଧିକାର ରହିଛି। ତେବେ ତାମିଲନାଡୁ କଂଗ୍ରେସର ଏହି ନୋଟିସ ଗ୍ରହଣଯୋଗ୍ୟ ନୁହେଁl

Spread the love