ପୁରୁଣା ସାଥୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ରାଉରକେଲା: ପୁରୁଣା ସାଥୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ ରାଉରକେଲା ଓଡିଶା ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ସମଥା ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ । ନକ୍ସଲ ସଂଗଠନ ସିପିଆଇ ମାଓବାଦୀ ପଶ୍ଚିମ ସିଂହଭୂମୀ ଏହି ବର୍ବରକାଣ୍ଡ କରିଥିବା ସୂଚନା ମିଳିଛି । ସରଣ୍ଡା ଜଙ୍ଗଲ ଅନ୍ତର୍ଗତ ସମଥା ଗାଁର ନେଲସନ ଭେଙ୍ଗ୍ରାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଭେଙ୍ଗ୍ରାଙ୍କ ମୃତଦେହ ନିକଟରେ ଏକ ଲିଫଲେଟ ମଧ୍ୟ ଛାଡି ଯାଇଛନ୍ତି । ଯେଉଁଥିରେ ନେଲସନ ପୁଲିସ ଇନଫର୍ମର ଭାବେ କାମ କରୁଥିବା ଅଭିଯୋଗ ଆଣି ମୃତ୍ୟୁ ଦଣ୍ଡ ଦିଆଯାଇଥିବା ଉଲ୍ଲେଖ ରହିଛି । ଗତ ମଙ୍ଗଳବାର ରାତି ୧୦ଟା ବେଳେ ନେଲସନ ଭେଙ୍ଗ୍ରାଙ୍କୁ ଘରୁ ଟାଣି ଆଣି ନିସ୍ତୁକ ମାଡ ମାରିବା ସହ ଘର ବାହାରେ ୩ଟି ଗୁଳି କରି ହତ୍ୟା କରିଥିଲେ ।ଏହାପରେ ନେଲସନଙ୍କ ମୋବାଇଲ ଓ ଅନ୍ୟାନ୍ୟ ଜିନିଷପତ୍ରକୁ ପୋଡି ଦେଇଛନ୍ତି । ମୃତକ ଦୀର୍ଘ ଦିନ ମାଓବାଦୀ ସଂଗଠନରେ ସକ୍ରିୟ ଥିଲେ । କିନ୍ତୁ ୨୦୨୩ ମସିହା ମେ ୧୭ରେ ନେଲସନଙ୍କୁ ରାଉରକେଲା ପୁଲିସ ଗିରଫ କରିଥିଲା । ଦୁଇ ମାସ ପୂର୍ବେ ଜେଲରୁ ମୁକ୍ତ ହୋଇ ଜାରାଇକେଲା ଥାନା ଅନ୍ତର୍ଗତ ପୈତୃକ ଗ୍ରାମ ସମଥାରେ ରହୁଥିଲେ । ଅନ୍ୟପଟେ ପରିବାର ଲୋକେ କହିଛନ୍ତି ଯେ ନେଲସନ ଜେଲରୁ ମୁକୁଳିବା ପରେ ନକ୍ସଲ ସଂଗଠନ ଛାଡିଦେଇଥିଲେ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନ ବଂଚିବାକୁ ଚାହୁଁଥିଲେ ।

Spread the love