ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର ଗ୍ରହଣ କଲେ ସୁରେନ୍ଦ୍ର କୁମାର

ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ରାଜ୍ୟ ସ୍ତରରେ ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ଶ୍ରୀ କୁମାରଙ୍କ ସମେତ ପଞ୍ଜାବ ସିଇଓ ଏସ୍‌. କରୁଣା ରାଜା ଓ ଆନ୍ଧ୍ରପ୍ରଦେଶ ସିଇଓ ଗୋପାଳ କୃଷ୍ଣ ଦ୍ବିବେଦୀଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି । ସେହିପରି ୫ଟି ବର୍ଗରେ ମୋଟ ୨୦ ଜଣଙ୍କୁ ପୁରସ୍କୃତ କରାଯାଇଛି।

୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁରେନ୍ଦ୍ର କୁମାର ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ୨୦୧୮ ଫେବ୍ରୁଆରିରେ ଯୋଗଦେଇଥିଲେ। ସିଇଓ ଭାବେ ଯୋଗଦେବା ପରେ ତାଙ୍କୁ ବିଜେପୁର ଉପନିର୍ବାଚନ ୨୦୧୮ ପରିଚାଳନା କରିବାର ସୁଯୋଗ ମିଳିଥିଲା। ଓଡ଼ିଶାରେ ଏକାସାଙ୍ଗରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନକୁ ୪ଟି ପର୍ଯ୍ୟାୟରେ କରିବାକୁ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଧାର୍ଯ୍ୟ କରିବା ପରେ ଶ୍ରୀ କୁମାର ଏହାକୁ ଦକ୍ଷତାର ସହ ପରିଚାଳନା କରିବାରେ ସକ୍ଷମ ହୋଇଥିଲେ। ସମଗ୍ର ରାଜ୍ୟରେ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି, ନିର୍ବାଚନ ଅଧିକାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ସୁରକ୍ଷା ବନ୍ଦୋବସ୍ତ, ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ସହିତ ଉତ୍ତମ ତାଳମେଳ ରଖି ରାଜ୍ୟରେ ଇଭିଏମ୍‌-ଭିଭିପାଟ୍ ମେସିନ୍‌ ଦ୍ବାରା ନିର୍ବାଚନ ପରିଚାଳନା କରାଇବାରେ ସଫଳତା ପାଇଁ ଜାତୀୟସ୍ତରରେ ସେ ପ୍ରଶଂସିତ ହୋଇଛନ୍ତି।

 

Spread the love