ଆଫଗାନିସ୍ତାନ, ପାକିସ୍ତାନ ଓ ଉତ୍ତର-ଭାରତରେ ଭୂମିକମ୍ପ

ନୂଆଦିଲ୍ଲୀ: ଆଫଗାନିସ୍ତାନ, ପାକିସ୍ତାନ, ଦିଲ୍ଲୀ-ଏନସିଆର, ହରିୟାଣା, ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଆଫଗାନିସ୍ତାନ ଏବଂ ଏହାର ତୀବ୍ରତା ୬.୧ ଥିଲା। ଗୁରୁବାର (ଜାନୁଆରୀ ୧୧) ଅପରାହ୍ନ ୨ଟା ୫୦ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା।

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି କହିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ କାବୁଲଠାରୁ ୨୪୧ କିଲୋମିଟର ଉତ୍ତର-ଉତ୍ତର-ପୂର୍ବରେ ଥିଲା। ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ଦିଲ୍ଲୀ ଏବଂ ଏନସିଆରରେ ଲୋକମାନେ ଭୂମିକମ୍ପ ଅନୁଭବ କରିଥିବା ସୂଚନା ଦେଇଛନ୍ତି। ଭୂକମ୍ପ ଆସିବା ପରେ ଲୋକମାନେ ଆତଙ୍କରେ ଘର ବାହାରକୁ ଚାଲିଆସିଥିଲେ । ତେବେ ଏହି ଭୂମିକମ୍ପରେ ମୃତାହତଙ୍କ ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ରିକ୍ଟର ସ୍କେଲରେ ପାକିସ୍ତାନର କିଛି ସ୍ଥାନରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ପାକିସ୍ତାନ ପାଣିପାଗ ବିଭାଗ (ପିଏମଡି) ପକ୍ଷରୁ କୁହାଯାଇଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଥିଲା। ହିନ୍ଦୁକୁଶ ଅଞ୍ଚଳରେ ୨୧୩ କିଲୋମିଟର ଗଭୀରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେହିପରି ୟୁଏସ ଜିଓଲୋଜିକାଲ ସର୍ଭେ ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ବଡାଖସ୍ତାନ ରାଜ୍ୟର ଜୁର୍ମ ଜିଲ୍ଲା ଥିଲା ।  ଗତ ବର୍ଷ ଅକ୍ଟୋବର ମାସରୁ ଆଫଗାନିସ୍ତାନରେ ୬ ଓ ତା’ଠାରୁ ଅଧିକ ତୀବ୍ରତାର ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି।

Spread the love