ନାସିକରେ ମୋଦୀଙ୍କ ବିଶାଳ ରୋଡ ସୋ’

ସାଧାରଣ ନିର୍ବାଚନ ପୂର୍ବରୁ ନାସିକରେ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ’ । ଆଜି ଅଟଳ ସେତୁ ଉଦଘାଟନ କରିବାକୁ ନାସିକ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ନାସିକରେ ବିଶାଳ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ନରେନ୍ଦ୍ର ମୋଦୀ । ରୋଡ ସୋ’ରେ ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ । ମହାରାଷ୍ଟ୍ର ଗସ୍ତ ଅବସରରେ ରାଜ୍ୟରୁ ପ୍ରଧାନମନ୍ତ୍ରୀ ୩୦ ହଜାର କୋଟି ଟଙ୍କାର ଭେଟି ଦେବାକୁ ଯାଉଛନ୍ତି । ନାସିକରୁ ରାମ କଥା କୁଣ୍ଡ ଓ କଳାମନ୍ଦିର ଯାଇ ଅନୁଷ୍ଠାନ କରିବେ ମୋଦୀ । ଏହାପରେ ମୁମ୍ବାଇ ଯାଇ ଟ୍ରାନ୍ସ ହାର୍ବର ଲିଙ୍କ୍ ବା ଅଟଳ ସେତୁର ଲୋକାର୍ପଣ କରିବେ । ଏହି ପୋଲ ଦ୍ୱାରା ମୁମ୍ବାଇ ଏବଂ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଂଟାରୁ ପ୍ରାୟ ୨୦ ମିନିଟକୁ ହ୍ରାସ ପାଇବ । ଅର୍ଥାତ୍ ଏହି ସେତୁ ଉଦଘାଟନ ପରେ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇରେ ପହଞ୍ଚିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ । ଶନିବାରଠାରୁ ଏହି ପୋଲ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ୨୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁରେ ଦୈନିକ ୭୦ ହଜାର ଯାନବାହନ ଚଳାଚଳ କରିପାରିବେ । ଏହାଦ୍ୱାରା କେବଳ ଯାତ୍ରୀଙ୍କ ଯାତ୍ରା ଦୂରତା ଓ ସମୟ କମିବ ନାହିଁ ବରଂ ସାମୁଦ୍ରିକ ସେତୁ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି । ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଂଟା ପ୍ରତି ୧୦୦ କିମି ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ବ୍ରିଜ୍ ଉପରେ ଯିବାକୁ ଅନୁମତି ଦିଆଯିବ ନାହିଁ ।

Spread the love