ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ମୁତୟନ ହୋଇଛନ୍ତି ୪୪ ପ୍ଲାଟୁନ ଫୋର୍ସ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୪୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୧୨ ତାରିଖରୁ ୧୫ ତାରିଖ ଓ ୧୬ରୁ ୧୭ତାରିଖ ଦୁଇଟି ପର୍ଯ୍ୟାୟରେ ହୋଇଛି ସୁରକ୍ଷା ବ୍ୟବସ୍ଥା । ସାରା ସହରରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜାନୁଆରୀ ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ୟ୍ୟ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ୟ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ୟ୍ୟ ଶୁଭବେଳାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଚୂଡ଼ାନ୍ତ ମୋହର ମାରିଛି ।

ନିଷ୍ପତ୍ତିି ଅନୁଯାୟୀ, ଜାନୁଆରୀ ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ର୍କାକେଡ୍ ସିଧାସଳଖ ଆସି ଦୋଳବେଦି କୋଣରେ ରହିବ । ସାଢ଼େ ୧ଟାରୁ ୨ଟା ଭିତରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦେବେ । ପରେ ନିମନ୍ତ୍ରିତ ଅତିଥି ପରିକ୍ରମା ପ୍ରକଳ୍ପର ଅନ୍ତଃ ପ୍ରଦକ୍ଷିଣ କରିବେ ।

ଶୁକ୍ରବାର ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ବ୍ରାହ୍ମଣବରଣ, ଗୁଆଟେକା ଆଦି ନୀତି ସଂପନ୍ନ ପରେ ପୂଜା କାର୍ୟ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞବେଦୀ ପ୍ରସ୍ତୁତି ଶେଷ ହୋଇଛି । ବେଦପାଠ ପାଇଁ ଚାରିଦ୍ୱାରେ ବେଦମଣ୍ଡପ ତିଆରି ହୋଇଛି ।

Spread the love