ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା; ୩ ଜଣଙ୍କ ମୃତ୍ୟୁ

ରାଇରଙ୍ଗପୁର/ଘାଗରବେଡ଼ା: ସଡକ ସୁରକ୍ଷା ସପ୍ତାହ ପାଳନର ୭ ଦିନ ନପୂରୁଣୁ ମୟୂରଭଂଜ ଜିଲ୍ଲାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ଆଜି ସନ୍ଧ୍ୟାରେ ଜିଲ୍ଲାର ଘାଗରବେଡା ଥାନା ଅର୍ନ୍ତଗତ ବୁଡାମରା ଗ୍ରା.ପର ବୁଡାମରା-ଶଙ୍କରପୁର ରାସ୍ତାରେ ଏକ ବାଇକ୍‌ (ପଲ୍‌ସର) ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଚତୁର୍ଥ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମୃତ ତିନିଜଣ ହେଲେ ମାନସ ମହାକୁଡ, ଆଲୋକ ହୋ ଏବଂ ଜନ୍ମେଜୟ ବେହେରା(୨୨)।

ସୂଚନା ଅନୁସାରେ ବୁଢାମରା ଗ୍ରାମର ରାଜକିଶୋର ମହାକୁଡଙ୍କ ପୁଅ ମାନସ ମହାକୁଡ, ମୁଟୁ ହୋଙ୍କ ପୁଅ ଆଲୋକ ହୋ, ରାଇକଳା ଗ୍ରାମର ଫକିର ବେହେରାଙ୍କ ସାନପୁଅ ଜନ୍ମେଜୟ ବେହେରା(୨୨) ଓ ରାଇକଳା ଗ୍ରାମର କୁଳମଣି ଗ୍ରାମର ଜିତୁ ବେହେରା ଦୁର୍ଘଟଣାର ସାମ୍ନା କରିଥିଲେ। ମୃତ ବ୍ୟକ୍ତିମାନଙ୍କର ଶବକୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସ୍ୟାଳୟର ଶବଗୃହରେ ରଖାଯାଇଛି। ଆସନ୍ତାକାଲି (ଜାନୁଆରି ୧୪) ଶବ ବ୍ୟବଛେଦ ହେବ ବୋଲି ସୂଚନା ମିଳିଛି।

ଗୁରୁତର ଜିତୁଙ୍କୁ ପ୍ରଥମେ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଘାଗରବେଡା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Spread the love