ଘରଲୋକଙ୍କୁ ପୁରୀ ଯିବାକୁ କହି ଗୋପାଳପୁର ପହଞ୍ଚିଲେ ଅଙ୍ଗନବାଡ଼ିଦିଦି, ବ୍ରହ୍ମପୁରରେ ସନ୍ଦେହଜନକ ମୃତ୍ୟୁ

ଗୋଳନ୍ଥରା: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ହଳଦିଆପଦର ନିକଟରେ ଥିବା ନିର୍ମଳା ପ୍ଲାଜା ହୋଟେଲ୍‌ର ଏକ ଓୟୋ ରୁମ୍‌ରୁ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକଜଣକ ହେଉଛନ୍ତି, ପୁରୀ ଜିଲ୍ଲା ଚନ୍ଦନପୁରର ସତ୍ୟପ୍ରକାଶ ପାଣ୍ଡେଙ୍କ ଝିଅ ମୈଥିଳୀ ପା‌ଣ୍ଡେ(୨୬)। ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଥିବା ବେଳେ ମୃତକଙ୍କ ପୁରୁଷ ବନ୍ଧୁ ତଥା ରାୟଗଡ଼ାର ସଙ୍କେତ ସେନାପତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଙ୍ଗନବାଡ଼ି କର୍ମୀ ମୈଥିଳୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି। ପୁଲିସ ଭିସେରା ସଂଗ୍ରହ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସଙ୍କେତ ଭୁବନେଶ୍ବରର ଜେ.କେ.ଟାୟାର୍ କମ୍ପାନିରେ ସେଲସମ୍ୟାନ୍ ଭାବେ କାର୍ଯ୍ୟ କରୁଥିଲେ।‌ ଗତ ଏକବର୍ଷ ହେଲା ଫେସବୁକ୍ ଜରିଆରେ ମୈଥିଳୀଙ୍କ ସହ ସଂକେତ ପରିଚିତ ହୋଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା। ଗତକାଲି (ଜାନୁଆରି ୧୨) ସଙ୍କେତଙ୍କ ଜନ୍ମଦିନ ଥିବା ବେଳ‌େ ଯୁବତୀଜଣକ ପୁରୀ ଯାଉଛନ୍ତି କହି ଘରୁ ବାହାରିଥିଲେ। କିନ୍ତୁ ସଙ୍କେତ ଓ ସେ ପୁରୀ ନଯାଇ ଗୋପାଳପୁର ବୁଲିବା ପାଇଁ ଆସିଥିଲେ। ସେଠାରେ ବୁଲାବୁଲି କରି ସଂଧ୍ୟାରେ ସେମାନେ ହଳଦିଆପଦର ନିକଟରେ ଥିବା ନିର୍ମଳା ପ୍ଲାଜା ହୋଟେଲ୍‌ର ଓୟୋ ରୁମ୍‌କୁ ଆସିଥିଲେ। ରାତି ପ୍ରାୟ ୧୦ଟାରେ ହଠାତ୍ ଯୁବତୀ ଜଣକ ଅସୁସ୍ଥ ହେବାରୁ ତାଙ୍କୁ ସଙ୍କେତ ନିଜ କାର୍‌ରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ।

ମୃତ ଯୁବତୀଙ୍କ ପରିବାରବର୍ଗ ଘଟଣା ସମ୍ପର୍କରେ ଖବର ପାଇ ବିଳମ୍ବିତ ରାତିରେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ପହଞ୍ଚିଥିଲେ। ସଙ୍କେତ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Spread the love