ବାଇକ୍‌ ସହିତ ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ଯୁବକ ମୃତ

ଜୟପୁର: କୋରାପୁଟ ଘାଟିର ଭୈରବମନ୍ଦିର ସମ୍ମୁଖରେ ଆଜି ସକାଳ ସାଢ଼େ ୧୦ଟା ବେଳେ ଗୋଟିଏ ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ହୋଇଥିଲା। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ସୁନାବେଡା ଅଂଚଳରେ ରହୁଥିବା ସୁଧିର କୁମାର ସାହୁ(୨୯)। ମୃତକଙ୍କ ନିଜ ଘର ଗଂଜମା ଜିଲ୍ଲାର କଲାବେଢ଼ା ଶାସନରେ ବୋଲି କୋରାପୁଟ ସଦରଥାନା ଅଧିକାରୀ ରୁନୁ ମାଝୀ କହିଛନ୍ତି।

ଆଜି ସକାଳ ସାଢ଼େ ୧୦ଟା ବେଳେ ହୋଣ୍ଡା ୟୁନିକର୍ନ ବାଇକ ନଂ ଓଡି୧୦-ଏଚ-୨୮୦୫ ଧରି ମୃତ ସୁଧିର ସୁନାବେଡ଼ାରୁ ଜୟପୁର ଅଭିମୁଖେ ଆସୁଥିଲେ। ଭୈରବମନ୍ଦିର ସମ୍ମୁଖରେ ଜୟପୁରରୁ କୋରାପୁଟ ପଟକୁ ଆସୁଥିବା ଟ୍ରକ ନଂ ଓଆର୦୮ସି -୧୦୩୪ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଧକ୍କାରେ ଦୁରକୁ ସୁଧିର ଛିଟକି ପଡ଼ିଥିଲେ। ମୁଣ୍ଡରେ ‌ସେ ହେଲମେଟ୍ ପିନ୍ଦିଥିଲେ ହେଁ ଶରୀରର କୌଣସି ଗୁରୁତ୍ବପୁର୍ଣ୍ଣ ସ୍ଥାନରେ ମାଡ଼ ବାଜିଥିଲା। ଘଟଣାସ୍ଥଳରେ ହିଁ ସୁଧିରର ପ୍ରାଣବାୟୁ ଉଡିଯାଇଥିଲା। ସୂଚନା ପାଇ ଜୟପୁର ସଦରଥାନା ଅର୍ନ୍ତଗତ ବାରିଣୀପୁଟ ପାଣ୍ଡି ଅଧିକାରୀ ଗଣେଶ ବେହେରା ଘଟଣାସ୍ଥଳରେ ପହଚିଂଥିଲେ। ତେବେ ଦୁର୍ଘଟଣାସ୍ଥଳଟି କୋରାପୁଟ ସଦରଥାନା ଅର୍ନ୍ତଗତ କୋଲାବପାଣ୍ଡି ଅଂଚଳରେ ହୋଇଥିବାରୁ କୋଲାବ ପାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ରାସ୍ତାରେ ଅଳ୍ପ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା। ମର ଶରୀରକୁ କୋଲାବପାଣ୍ଡି ଅଧିକାରୀ ପଂଚନାମା କରି ଦୁଇଟି ଯାକ ଗାଡ଼ିକୁ ଜବତ କରିଥିଲେ।  ଉଭୟ ପାଣ୍ଡି ଅଧିକାରୀ ଟ୍ରାଫିକ ଜାମ ହଟାଇଥିଲେ। ଏହା ପରେ ମରଶରୀରରକୁ କୋରାପୁଟ ସହିଦଲକ୍ଷ୍ମଣନାୟକ ମେଡିକାଲ କଲେଜକୁ ଆଣି ଶବାଗାରରେ ରଖିଥିବା କହିଛନ୍ତି କୋରାପୁଟ ସଦରଥାନା ଅଧିକାରୀ। ଆସନ୍ତାକାଲି ସକାଳୁ ଶବବବ୍ୟାବଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରାଯିବ‌ ବୋଲି କହିଛନ୍ତି ସଦରଥାନା ଅଧିକାରୀ ଶ୍ରୀମତି ମାଝୀ।

Spread the love