ଭୋଗରାଇ ବିଧାୟକଙ୍କୁ ବିରୋଧ: ସଭାମଞ୍ଚ ଛାଡ଼ି ପଳାଇଲେ ଅନନ୍ତ

ଭୋଗରାଇ/କମର୍ଦ୍ଦା: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଗୁଣସାର୍ଥା ପଞ୍ଚାୟତ ଅଧୀନ ପ୍ରିୟବାଗ ହାଟ ସଭାମଞ୍ଚରେ ସ୍ଥାନୀୟ ବିଧାୟକ ଅନନ୍ତ ଦାସ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏମିତି ପରିସ୍ଥିତି ଦେଖାଦେଇଥିଲା ଯେ ବିଜେଡି କର୍ମୀ ଓ କିଛି ଯୁବକଙ୍କ ମଧ୍ୟରେ ହଟ୍ଟଗୋଳ, ଠେଲାପେଲା ହୋଇଥିଲା। ଏହିଭଳି ପରିସ୍ଥିତିରେ ବିଧାୟକ ଶ୍ରୀ ଦାସ ସଭାମଞ୍ଚ ଛାଡ଼ି ପଳାଇଯିବାକୁ ବାଧ୍ୟ ହୋଇଥିଲେ। ଆଜି ବିଜେଡି ପକ୍ଷରୁ ପ୍ରିୟବାଗ ହାଟରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ହୋଇଥିଲା। ଅପରାହ୍ନ ୧ଟା ବେଳେ ସଭା ଆରମ୍ଭ ହୋଇଥିବା ବେଳେ ସରପଞ୍ଚ ରଜନୀକାନ୍ତ ଖଟୁଆ ସଭାପତିତ୍ୱ କରୁଥିଲେ। ଅତିଥି ଭାବେ ଭୋଗରାଇ ବିଧାୟକ ଅନନ୍ତ ଦାସ, ଭୋଗରାଇ ବ୍ଲକ୍‌ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ୩୨ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟା କବିତା ମହାନ୍ତି ଓ ପଞ୍ଚାୟତ ସମିତି ସଦସ୍ୟା ମାଳାବତୀ ଜେନାଙ୍କ ସହ ବିଧାୟକ ଶ୍ରୀ ଦାସଙ୍କ ପୁଅ ଅଭିଜିତ ଦାସ ମଧ୍ୟ ଉପସ୍ଥିତ ଥିଲେ।

ସଭାମଞ୍ଚ ଛାଡ଼ି ପଳାଇଲେ ଅନନ୍ତ
ସଭାସ୍ଥଳରେ ଠେଲାପେଲା, ସାମ୍ବାଦିକ ଅଟକ

ବିଧାୟକ ଶ୍ରୀ ଦାସ ଭାଷଣ ଦେଉଥିବା ବେ​ଳେ କିଛି ଗ୍ରାମବାସୀ ପଞ୍ଚାୟତରେ କୌଣସି ବିକାଶମୂଳକ କାମ ହୋଇ ନଥିବା ଅଭିଯୋଗ କରିଥିଲେ। ବିଧାୟକ ଶ୍ରୀ ଦାସ ବି ଉତ୍ତର ରଖିବା ଆରମ୍ଭ କରିଥିଲେ। ଏହିସମୟରେ ହଠାତ୍‌ ସଭାମଞ୍ଚ ପଛରୁ ‘ଜୟ ଶ୍ରୀରାମ’ ନାରା ଶୁଭିଥିଲା ଏବଂ କିଛି ସମୟ ମଧ୍ୟରେ ସଭା ସମ୍ମୁଖରେ ହଟ୍ଟଗୋଳ ସହ ବିଜେଡି କର୍ମୀ ଓ କିଛି ଯୁବକଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା। ଏମିତି ପରିସ୍ଥିତିରେ ବିଧାୟକ ଶ୍ରୀ ଦାସ ସଭାମଞ୍ଚ ଛାଡ଼ି ପଳାଇଯାଇଥିବା ବେଳେ କିଛି ଗଣମାଧ୍ୟମ ପ୍ରତିନିଧି ଅଟକ ଥିଲେ। ପରେ ସରପଞ୍ଚ ଶ୍ରୀ ଖଟୁଆଙ୍କ ହସ୍ତକ୍ଷେପ ଯୋଗୁଁ ସେମାନେ ମୁକୁଳିଥିଲେ। ଖବର ଲେଖା ହେବାବେଳକୁ କମର୍ଦ୍ଦା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଏନେଇ ବିଧାୟକ ଶ୍ରୀ ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ସମ୍ଭବପର ହୋଇନାହିଁ। ତେବେ, ପଞ୍ଚାୟତରେ ଅନେକ ବିକାଶମୂଳକ କାମ ହୋଇଛି। ତେବେ ସମସ୍ତଙ୍କୁ ସବୁଥିରେ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ ବୋଲି ସରପଞ୍ଚ ଶ୍ରୀ ଖଟୁଆ କହିଛନ୍ତି।

Spread the love