ପୁଣି ବର୍ଷେ ପରେ ଫେରିଲା ମହାମାରୀ : ନେଲାଣି ୫ ଜଣଙ୍କ ଜୀବନ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ବର୍ଲିନ: ବର୍ଷେ ପରେ ପୁଣି ୟୁରୋପରେ ଆତଙ୍କ ଦେଖାଦେଇଛି। ୟୁରୋପର କେତେକ ଦେଶରେ ମହାମାରୀ ପ୍ୟା‌ରୋଟ ଫିଭର ଫେରିଛି। ଏହା ଯୋଗୁ ଇତିମଧ୍ୟରେ ୫ ଜଣ ଲୋକଙ୍କ ଜୀବନ ଯାଇଛି। ତେବେ ପ୍ରତି ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ପ୍ୟା‌ରୋଟ ଫିଭର ସିଟାକୋସିସ ଭାବେ ମଧ୍ୟ ବେଶ୍ ଜଣାଶୁଣା। ଏହା ପ୍ରାୟତଃ ୟୁରୋପରେ ବ୍ୟାପୀ ଥାଏ। ୨୦୨୩ର ଆରମ୍ଭରେ ଏହା ତାଣ୍ଡବ ରଚିଥିଲା। ଏବେ ୨୦୨୪ରେ ପୁଣି ଏହା ଫେରିଛି। ଅଷ୍ଟ୍ରିଆରେ ଗତ ବର୍ଷ ୧୪ ମାମଲା ଚିହ୍ନଟ ହୋଇଥିଲା। ତେବେ ଚଳିତ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଏଠାରେ ୪ ଜଣଙ୍କୁ ଚିହ୍ନଟ କରାଯାଇଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଡେନମାର୍କରେ ଚଳିତ ବର୍ଷ ପେବ୍ରୁଆରୀ ୨୭ ପର୍ଯ୍ୟନ୍ତ ଏହି ମହାମାରୀର ୨୩ ମାମଲା ଚିହ୍ନଟ ହୋଇଛି। ସେହିପରି ଜର୍ମାନୀରେ ସମ୍ପ୍ରତି ୫ ମାମଲା ଚିହ୍ନଟ ହୋଇଛି। ଆମେରିକା ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ୍ ପିଭେସନ ଅନୁସାରେ ମଣିଷଙ୍କୁ ସଂକ୍ରମିତ ପକ୍ଷୀ ଥଣ୍ଟରେ କାମୁଡିଲେ କିମ୍ବା ଏହାର ସମ୍ପର୍କରେ ଆସିଲେ ଏହା ବ୍ୟାପୀ ଥାଏ। ଚିହ୍ନଟ ହୋଇଥିବା ମାମଲାରେ ଆକ୍ରାନ୍ତମାନେ ଘରେ ପାଳନ କରିଥିବା ପକ୍ଷୀ ଅବା ଜଙ୍ଗଲରେ ଥିବା ପକ୍ଷୀଙ୍କ ସମ୍ପର୍କରେ ଆସିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି। ପ୍ୟାରୋଟ ଫିଭର କ୍ଲେମାଇଡିଆ ସଂକ୍ରମଣ ଯୋଗୁ ହୋଇଥାଏ। ଏହା ବିଭିନ୍ନ ପ୍ରକାରର ଜଙ୍ଗଲୀ ଏବଂ ପୋଷା ପକ୍ଷୀ ତଥା କୁକୁଡାଙ୍କଠାରେ ଦେଖିବାକୁ ମିଳିଥାଏ। ସଂକ୍ରମିତ ପକ୍ଷୀ ନିଃଶ୍ବାସ ନେବା ସମୟରେ ଏବଂ ମଳତ୍ୟାଗ କରିବା ସମୟରେ ଏହି ବ୍ୟାକ୍ଟେରିଆ ବାହାରକୁ ଆସିଥାଏ। ଏହା ଯୋଗୁ ପ୍ୟାରୋଟ ଫିଭର ବ୍ୟାପୀଥାଏ।

Spread the love