ବିଜୟ ମହାପାତ୍ରଙ୍କ ପାଇଁ ନବୀନ ନିବାସରୁ ଆସିଲା ବଡ ବାର୍ତ୍ତା

ବିଜେଡିରେ ଯୋଗ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ଶଙ୍ଖ ଫୁଙ୍କିଛନ୍ତି ଅରବିନ୍ଦ ମହାପାତ୍ର । ବିଜେଡିକୁ ଅରବିନ୍ଦଙ୍କୁ ସ୍ୱାଗତ କରିବା ସହ ଆଶୀର୍ବାଦ ଦେଇଛନ୍ତି ନବୀନ । ଏହାସହ ତୁମ ଉପରେ ମୋର ଆଶୀର୍ବାଦ ଥିବା ନେଇ ବାପାଙ୍କୁ ଜଣାଇଦେବ ବୋଲି କହିଛନ୍ତି ନବୀନ । ଯାହାର ଉତ୍ତରରେ ଅରବିନ୍ଦ କହିଥିଲେ ନିଶ୍ଚୟ ଜଣାଇଦେବି । ଏହାସହ କେନ୍ଦ୍ରାପଡା ପାଇଁ କାମ କରିବାକୁ ପରାମର୍ଶ ଦେବା ସହ ସମସ୍ତ କର୍ମୀଙ୍କୁ ବିଜୁ ପରିବାରକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିଜେଡିରେ ଯୋଗ ଦେବା ପରେ ଅରବିନ୍ଦ ମହାପାତ୍ର ମଧ୍ୟ କହିଥିଲେ, ବାପାଙ୍କ ଆଶୀର୍ବାଦ ନେଇ ପାଟକୁରାବାସୀଙ୍କ ସହ ଆଲୋଚନା ପରେ ବିଜେଡିରେ ଯୋଗ ଦେଇଛି । ବିଜେଡିରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ ଅରବିନ୍ଦ ।ଗତ ୨୫ ବର୍ଷ ହେବ ନବୀନ-ବିଜୟଙ୍କ ମଧ୍ୟରେ ସମ୍ପର୍କ ତାହା ସଭିଙ୍କୁ ଜଣା । ୨୦୦୦ ମସିହାରେ ବିଜେଡି ଟିକେଟ କାଟିବା ପରେ ବିଜୟ ମହାପାତ୍ର ଅନେକ ସମୟରେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଇ ନବୀନ ସରକାରକୁ ଅଡୁଆରେ ପକାଇଛନ୍ତି । ଗତ ୨ ଦଶନ୍ଧି ଧରି ନବୀନଙ୍କୁ ବିରୋଧ କରୁଥିଲେ ମଧ୍ୟ ବିଧାୟକ ଭାବେ ପୁଣିଥରେ ନିର୍ବାଚିତ ହେବାରେ ବିଫଳ ହୋଇଥିଲେ ବିଜୟ । ବିଭିନ୍ନ ଦଳରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ଏଥିରେ ଫେଲ ମାରିଥିଲେ । ୨୦୧୯ରେ ପାଟକୁରାରୁ ପରାଜିତ ହେବା ପରେ ବିଜୟ ପୁଅକୁ ରାଜନୀତିରେ ସାମ୍ନାକୁ ଆଣିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପୁଅ ଅରବିନ୍ଦଙ୍କୁ ନିର୍ବାଚନମଣ୍ଡଳୀରେ ଆଗକୁ ଛାଡିଥିଲେ । ୨୦୧୯ ନିର୍ବାଚନ ପରେ କିନ୍ତୁ ବିଜୟ ବିଜେପି ରାଜନୀତିରୁ ଧୀରେ ଧୀରେ ଦୂରେଇଥିଲେ । ପୁଅ ଅରବିନ୍ଦ ବିଭିନ୍ନ ସଭା ସମିତି କରୁଥିଲେ ମଧ୍ୟ କୌଣସି ଦଳୀୟ ଚିହ୍ନକୁ ବ୍ୟାନରରେ ସ୍ଥାନ ଦେଇନଥିଲେ ।

ଯେଉଁଥିପାଇଁ ଅରବିନ୍ଦଙ୍କ ରାଜନୈତିକ ଗତି କୁଆଡେ ତାହାର ଟେର କେହି ପାଉନଥିଲେ । କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡିରେ ସାମିଲ ହୋଇଛନ୍ତି ଅରବିନ୍ଦ । ଅନ୍ୟପଟେ ଅରବିନ୍ଦଙ୍କୁ ବିଜେଡିରେ କୋଳାଇ ନେଇ ବିଜୟଙ୍କ ପ୍ରତି ଆଉ ପୂର୍ବଭଳି ମନୋବୃତ୍ତି ନଥିବା ନେଇ ବାର୍ତ୍ତା ଦେଇଛନ୍ତି ନବୀନ ।

Spread the love