ଟିଏମ୍ସି ପାଇଁ ନିର୍ବାଚନ ଲଢ଼ିବେ ୟୁସୁଫ ପଠାନ

କୋଲକାତା: ଆସନ୍ତା ଲୋକସଭା ନିର୍ବାଚନରେ ରାଜନୀତି ମଇଦାନରେ ପାଦ ଥାପିବେ  ଅଭିନେତ୍ରୀ ରଚନା ବାନାର୍ଜୀ। ସେହିପରି ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ୟୁସୁଫ ପଠାନ। ଟିଏମସି ପକ୍ଷରୁ ନିର୍ବାଚନ ପାଇଁ ଟିକେଟ ହାସଲ କରିଛନ୍ତି ଭାରତର ପୂର୍ବତନ ଷ୍ଟାର ଅଲରାଉଣ୍ଡର ୟୁସୁଫ ପଠାନ। ବହରାମପୁର ଆସନରୁ ସାଂସଦ ପ୍ରାର୍ଥି ଭାବରେ ପୂର୍ବତନ ଷ୍ଟାର କ୍ରିକେଟର ୟୁସୁଫ ପଠାନଙ୍କୁ ଚୟନ କରିଛି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ୪୨ ଜଣ ସାଂସଦ ପ୍ରାର୍ଥି ତାଲିକା ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଟିଏମସିର ଏହି ତାଲିକାରେ ଅଭିନୟ ଏବଂ କ୍ରିକେଟ ଜଗତରୁ ଅନେକ ପରିଚିତ ଚେହେରା ସାମିଲ ହୋଇଛନ୍ତି । ମମତା ବାନାର୍ଜୀଙ୍କ ଏହି ତାଲିକାରେ ୟୁସୁଫ ପଠାନଙ୍କ ସମେତ ବଙ୍ଗୀୟ ସୁନ୍ଦରୀ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ନାମ ମଧ୍ୟ ସାମିଲ ରହିଛି । ହୁଗୁଳି ଆସନ ପାଇଁ ପ୍ରାର୍ଥି ଭାବେ ରଚନାଙ୍କୁ ଟିକେଟ ପ୍ରଦାନ କରିଛି ଦଳ । ଏହାବ୍ୟତୀତ ବରିଷ୍ଠ ଅଭିନେତା ଶତୃଘ୍ନ ସିହ୍ନ ପୁଣିଥରେ ନିଜ ସଂସଦୀୟ କ୍ଷେତ୍ର ଆସନସୋଲରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ବର୍ତ୍ତମାନ ଏହି ଆସନରେ ସେ ସାଂସଦ ରହିଛନ୍ତି । ଏହାବ୍ୟତୀତ ମହୁଆ ମୈତ୍ରଙ୍କୁ କ୍ରିଷ୍ଣାନଗରରୁ ପୁଣି ଥରେ  ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇଛନ୍ତି ମମତା ବାନାର୍ଜୀ । ସେହିପରି ଦୁର୍ଗାପୁରରୁ ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ ସାଂସଦ ପ୍ରାର୍ଥି ଭାବେ ମଇଦାନକୁ ଓହ୍ଲାଇବେ । ତେବେ ଏହି ସାଂସଦ ତାଲିକାରୁ ବାସିରହାଟ ସାଂସଦ ନୁସରତ ଜାହାନ୍ ବାଦ୍ ପଡ଼ିଛନ୍ତି । ସେହିପରି ଡାଇମଣ୍ଡ ହାର୍ବର ଆସନରେ ଅଭିଷେକ ବାନାର୍ଜୀ ଏବଂ ବୀରଭୂମରୁ ଶତାବ୍ଦୀ ରାୟ ଟିଏମସି ପାଇଁ ନିର୍ବାଚନ ଲଢିବେ ।

Spread the love