ମା’ଙ୍କୁ ମନେପକାଇଲେ ଅର୍ଜୁନ

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ମା’ ମୋନା କପୁରଙ୍କ ନିଧନ ହୋଇସାରିଛି। ଆଜି ହେଉଛି ମୋନାଙ୍କର ଜନ୍ମଦିନ। ତେଣୁ ମା’ଙ୍କୁ ମନେ ପକାଇ ଅର୍ଜୁନ ସୋଶାଲ ମିଡିଆରେ ଏକ ଭାବବିହ୍ୱଳ ଭରା ପୋଷ୍ଟ କରିଛନ୍ତି। ପୋଷ୍ଟରେ ଅର୍ଜୁନ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମା’, ମୁଁ ତୁମକୁ ବହୁତ ଭଲ ପାଏ। ଆଶା କରୁଛି, ତୁମେ ଯେଉଁଠି ଅଛ, ଖୁସିରେ ଥିବ, ହସୁ ଥିବ। ଏ ଫଟୋ ତୁମ ଶେଷ ଜନ୍ମଦିନର, ଯେବେ ଆମେ ଏକାଠି ଥିଲେ। ମୋର ଆଶା ଥିଲା କି ଆମେ ଆଗକୁ ବି ସାଙ୍ଗ ହୋଇ ରହିବା କିନ୍ତୁ ଏପରି ହେଲା ନାହିଁ। ମୁଁ ତୁମକୁ ସବୁବେଳେ ମନେ ପକାଉଛି। ୨୫ ବର୍ଷ ବୟସରେ ମୁଁ ତୁମକୁ ହଜେଇ ଦେଇଥିଲେ ବି ଦୃଢ଼ ହୋଇରହିଛି। କାରଣ ଏ ସମାଜ ଆମଠାରୁ ଏପରି ହିଁ ଆଶା ରଖିଥାଏ। ବେଳେବେଳେ ଛୋଟ ଛୋଟ ଅସୁବିଧା ସମୟରେ ମୁଁ ଭାଙ୍ଗି ପଡ଼ିଥାଏ। ଆଉ ଆଜି ବି ମୋ ଅସୁବିଧା କଥା କହି ମୁଁ ତୁମକୁ ହଇରାଣ କରିଥାଏ। ତୁମକୁ ପୁଣିଥରେ ଜନ୍ମଦିନର ଶୁଭେଚ୍ଛା ମା’। ଆଉ କିଛି ସମୟ ତୁମେ ମୋ ସହିତ ରହିଥିଲେ ବହୁତ ଭଲ ହୋଇଥା’ନ୍ତା। ’ଅର୍ଜୁନଙ୍କର ଏହି ଭାବବିହ୍ୱଳ ଭରା ପୋଷ୍ଟ ସୋଶାଲ ମିଡିଆରେ ଦେଖିବା ପରେ ଫ୍ୟାନ୍ସଙ୍କ ସହିତ ସେଲେବ୍ରିଟିଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେବଳ ଅର୍ଜୁନ ନୁହଁନ୍ତି, ତାଙ୍କ ଭଉଣୀ ଅଶୁଂଲା କପୁର ମଧ୍ୟ ମା’ଙ୍କୁ ମନେପକାଇ ଇମୋସନାଲ୍‌ ପୋଷ୍ଟ ଲେଖିଥିଲେ, ଯାହାକୁ ପଢ଼ି ଅର୍ଜୁନ ଭାବୁକ ହୋଇ ପଡ଼ିଥିଲେ।ସୂଚନାଯୋଗ୍ୟ, ନିର୍ଦ୍ଦେଶକ ବୋନି କପୁରଙ୍କ ପ୍ରଥମ ସ୍ତ୍ରୀ ମୋନା କପୁରଙ୍କର ୨୦୧୨ ମସିହାରେ ମୃତ୍ୟୁ ହୋଇଥିଲା। ସେ ଲମ୍ୱା ସମୟ ଧରି କ୍ୟାନସରରେ ପୀଡ଼ିତ ଥିଲେ।

Spread the love