ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟ ବୀମାରେ ବୃଦ୍ଧି କରାଯାଇଥିବାବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ସବୁ କଲ୍ୟାଣ ଯୋଜନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି। ଘୋଷଣା ଅନୁଯାୟୀ ଶ୍ରୀ ଜଗନ୍ନାଥଙ୍କ ସେବାୟତ ଓ ତାଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପୂର୍ବରୁ ଦିଆଯାଉଥିବା ବୀମା ରାଶି ପରିମାଣକୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଗୁରୁତର ରୋଗର ଚିକିତ୍ସା ପାଇଁ ଅତିରକ୍ତ ୫ ଲକ୍ଷ ଟଙ୍କା ସହାୟତା ଦିଆଯିବ।
ସେହିଭଳି ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ବ୍ୟବସ୍ଥା ବାବଦରେ ବର୍ଷକୁ ୫୦ ହଜାର ଟଙ୍କା ହିସାବରେ ସର୍ବାଧିକ ୩ ଥର ସହାୟତା ଯୋଗାଇ ଦିଆଯିବ। ସେବାୟତମାନଙ୍କୁ ଦିଆଯାଉଥିବା ବିଭିନ୍ନ ବର୍ଦ୍ଧିତ ଭତ୍ତା, ସ୍ୱାସ୍ଥ୍ୟ ବୀମା ରାଶି, କୋଚିଂ ସହାୟତା ଓ ଅନ୍ୟାନ୍ୟ ସହାୟତା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ୧୦.୮୫ କୋଟି ଯୋଗାଇ ଦେଇଛନ୍ତି।

Spread the love