କନିଷ୍ଠ ଶିକ୍ଷକ ଚୟନ ଅନିୟମିତା ମାମଲା: ଓସେପାର ମେରିଟ୍‌ ଲିଷ୍ଟ ଖାରଜ କଲେ ହାଇକୋର୍ଟ

କଟକ: କନିଷ୍ଠ ଶିକ୍ଷକ ଚୟନ ଅନିୟମିତା ମାମଲାରେ ହାଇକୋର୍ଟ ଶୁଣାଣି କରିଛନ୍ତି। ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଦ୍ବାରା ପ୍ରସ୍ତୁତ ମେରିଟ୍‌ ଲିଷ୍ଟକୁ ହାଇକୋର୍ଟ ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠ ଏହାକୁ ଖାରଜ କରିଛନ୍ତି। ଜିଲ୍ଲାୱାରୀ ମେରିଟ ଲିଷ୍ଟକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଛନ୍ତି। ନିଯୁକ୍ତି ସର୍ତ୍ତାବଳୀ ଅନୁସାରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓସେପା ପକ୍ଷରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ଅନ୍‌ଲାଇନ୍‌ ଆବେଦନ ପାଇଁ ଗତବର୍ଷ ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୦ ଦର୍ଶାଯାଇଥିଲା। ଆବେଦନ ପ୍ରକ୍ରିୟା ଶେଷ ପରେ ଗତ ଜାନୁଆରି ୧୫ ତାରିଖରେ ଓସେପା ପକ୍ଷରୁ ଡ୍ରାଫ୍ଟ ମେରିଟ ଲିଷ୍ଟ ପ୍ରକାଶିତ ହୋଇଥିଲା। ଏହି ମେଧା ତାଲିକାରେ ପ୍ରକାଶିତ ଆବେଦନକାରୀଙ୍କ ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ ବୋଲି ଓସେପା ପକ୍ଷରୁ ୧୭ ତାରିଖ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଯାଞ୍ଚ କାର୍ଯ୍ୟକ୍ରମ ପାଇଁ ପ୍ରତି ଜିଲାରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନ ସମ୍ପର୍କରେ ମଧ୍ୟ ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା। ହେଲେ ଏହି ମେଧା ତାଲିକା ନିୟମ ଉଲ୍ଲଂଘନ କରି ପ୍ରସ୍ତୁତ କରାଯାଇଥିବା ଓ ଗଣଶିକ୍ଷା ବିଭାଗର ମୂଳ ନିଯୁକ୍ତି ବିଜ୍ଞପ୍ତିରେ ଥିବା ସର୍ତ୍ତାବଳୀକୁ ପାଳନ କରାଯାଇ ନ ଥିବା ନେଇ ଅଭିଯୋଗ ହୋଇଥିଲା। ଏହାଦ୍ୱାରା ବହୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ପଡ଼ିଛନ୍ତି। ଫଳରେ ଉକ୍ତ ମେଧା ତାଲିକାକୁ ରଦ୍ଦ କରିବା ନେଇ ଜେ. ଆର. ମହାରଣା ଓ ଅନ୍ୟମାନେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ।

Spread the love