ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଅମିତ ଶାହଙ୍କ ବୈଠକ, ଯେକୌଣସି ମୁହୂର୍ତ୍ତରେ ଆସିପାରେ ମେଣ୍ଟକୁ ନେଇ ବଡ ଖବର

ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ସ୍ପଷ୍ଟ ହେଉନି ଚିତ୍ର । ଶାହଙ୍କ ପାଖରେ ଅଟକିଛି ବିଜେପିର ନିଷ୍ପତି । ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟ ବିଜେପିର ନେତୃତ୍ୱ ଭେଟିଥିବା ସୂଚନା ମିଳିଛି । ଆସନ ବୁଝାମଣା ବାବଦରେ ବୈଠକ ବସିଥିବା ନେଇ ସୂଚନା । ବୈଠକ ପରେ କେନ୍ଦ୍ରୀୟ ନେତୃତ୍ୱ ଶେଷ ନିଷ୍ପତି ଶୁଣାଇବେ ବୋଲି କୁହାଯାଉଛି । ଆସନ୍ତା ନିର୍ବାଚନରେ ଦଳ ଏକାକୀ ଲଢିବ ନା ବିଜେଡି ସହ ମେଣ୍ଟ କରି ମୈଦାନକୁ ଓହ୍ଲାଇବ, ଏନେଇ ଚୂଡାନ୍ତ ନିଷ୍ପତି ନେବେ ଦଳର ଶୀର୍ଷ ନେତା । ଏହା ପୂର୍ବରୁ ଗତ ଦୁଇ ଦିନ ହେବ ନୂଆଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଘନ ଘନ ବୈଠକ ସରିଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ପ୍ରମୁଖ ନେତା ମାନେ ସାମିଲ ହୋଇଥିଲେ । ଏହି ବୈଠକରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ଆସନରୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଯାଇଛି ।
ଅନ୍ୟପଟେ ମେଣ୍ଟ ଘୋଷଣା ଯେତିକି ବିଳମ୍ବ ହେଉଛି, ସେହି ପରିମାଣରେ ବଢ଼ିଚାଲିଛି ଆକଳନ ଓ ଅନୁମାନ । ଉଭୟ ବିଜେପି-ବିଜେଡିର ଶୀର୍ଷ ନେତୃତ୍ୱ ମେଣ୍ଟ ନେଇ ଏପର୍ଯ୍ୟନ୍ତ ପଦୁଟିଏ ସ୍ପଷ୍ଟ ଭାବେ କହୁନାହାନ୍ତି । ସୋସିଆଲ୍ ମିଡିଆରେ ବିଭିନ୍ନ କଳ୍ପନାଜଳ୍ପନା ଜୋର ଧରିବାରେ ଲାଗିଛି । କେବଳ ଓଡ଼ିଶାରେ ନୁହେଁ ଜାତୀୟ ସ୍ତରରେ ବି ଏହି ଆଲୋଚନା ଚାଲିଛି । ଲୋକସଭା ପାଇଁ ୧୩ : ୮ କିମ୍ବା ୧୪ : ୭କୁ ନେଇ ଅଙ୍କକଷା ଚାଲିଥିବା କୁହାଯାଉଛି । ଅର୍ଥାତ ବିଜେପି ୧୩ କିମ୍ବା ୧୪ ଲୋକସଭା ଆସନରେ ଲଢ଼ିପାରେ, ଆଉ ବିଜେଡି ୭ କିମ୍ବା ୮ ଆସନରେ ପ୍ରାର୍ଥୀ ଦେଇପାରେ । ସେହିପରି ବିଧାନସଭାରେ ବିଜେପି ଭାଗରେ ୫୬ କିମ୍ବା ୪୯ ଆସନ ପଡିବାକୁ ଥିବା ବେଳେ ବିଜେଡି ୯୧ କିମ୍ବା ୯୮ ଆସନରେ ଲଢ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

Spread the love