ସାଧାରଣ ନିର୍ବାଚନ-୨୦୨୪: କଂଗ୍ରେସ ଦେଲା ୯ଟି ଗ୍ୟାରେଣ୍ଟି, ୨୫ ଲକ୍ଷ ଯାଏଁ ମାଗଣା ଚିକିତ୍ସା ପ୍ରତିଶ୍ରୁତି

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ଏଥିରୁ ଲାଭ ଉଠାଇବା ପାଇଁ ଉଦ୍ୟମ କରୁଛି। ଏଥି ପାଇଁ କଂଗ୍ରେସ ଓଡ଼ିଶାରେ ତେଲେଙ୍ଗାନା ଫର୍ମୁଲା ପ୍ରୟୋଗ କରୁଛି। ରାଜ୍ୟ କଂଗ୍ରେସ ଶୁକ୍ରବାର ଦିନ ନିଜ ନିର୍ବାଚନ ଇସ୍ତାହାର ଘୋଷଣା କରିଛି। ବିଜେପି ନେତୃତ୍ବ ଏନ୍‌ଡିଏ ସରକାର ‘ମୋଦି ଗ୍ୟାରେଣ୍ଟି’ ଦେଇଥିବା ବେଳେ କଂଗ୍ରେସ ଏହାକୁ ମୁକାବିଲା କରିବାକୁ ଅଣ୍ଟା ଭିଡିଛି। ସେଥିପାଇଁ ୯ଟି ଗ୍ୟାରେଣ୍ଟି ପ୍ରତିଶ୍ରୁତି ଦେଇଛି। ଏହି ୯ଟି ଗ୍ୟାରେଣ୍ଟିରେ କଂଗ୍ରେସ ମହିଳା, କୃଷକ, ଯୁବକ-ଯୁବତୀ ଓ ସ୍ବୟଂ ସହାୟକ ଗ୍ରୁପ୍‌କୁ ଗୁରୁତ୍ବ ଦେଇଛି।

କଂଗ୍ରେସ ଇସ୍ତାହାରରେ କହିଛି ଯେ, ଓଡ଼ିଶାରେ କ୍ଷମତାକୁ ଆସିଲେ ଗୃହଲକ୍ଷ୍ମୀ ଯୋଜନାରେ ପ୍ରତି ଘର ମୁଖ୍ୟ ମହିଳାଙ୍କୁ ୨ ହାଜର ଟଙ୍କା ଭତ୍ତା, ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗଙ୍କୁ ୨ ହଜାର ଟଙ୍କା ମାସିକ ଭତ୍ତା, ବେକାରିଙ୍କୁ ୩ ହଜାର ଏବଂ କୃଷକଙ୍କ ପାଇଁ ମାସିକ ପେନସନ୍ ୨ ହଜାର ଟଙ୍କା ଦେବ। ସେହିପରି ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ବ୍ୟବସ୍ଥା  କରାଇବ। ଏତଦ୍‌ ବ୍ୟତୀତ ଚିଟଫଣ୍ଡ କ୍ଷତିଗସ୍ତଙ୍କୁ ୬ ମାସରେ ଟଙ୍କା ଫେରାଇ ଦିଆଯିବ।

ଏହି ଅବସରରେ କଂଗ୍ରେସ କହିଛି ଓଡ଼ିଶାକୁ ଗରିବରୁ ଅଧିକ ଗରିବ କରିବାରେ ବିଜେଡି ଓ ବିଜେପି ସରକାର ଦାୟୀ। କଂଗ୍ରେସର ଇସ୍ତାହାର ଘୋଷଣା ଅବସରରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ସଭାପତି ବିଜୟ ପଟ୍ଟନାୟକ ଓ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।

Spread the love