କେ କବିତାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

 

ହାଇଦ୍ରାବାଦ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏମ୍‌ଏଲ୍‌ସି କେ କବିତାଙ୍କୁ ଗିରଫ କରିଛି।ତଦନ୍ତକାରୀ ସଂସ୍ଥାର ଏକ ଟିମ୍‌ ତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଚଢ଼ାଉ କରିବାର କିଛି ଘଣ୍ଟା ପରେ ବିଆର୍‌ଏସ୍‌ ନେତ୍ରୀଙ୍କୁ ଗିରଫ କରାଯାଇଥିଲା। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ କବିତାଙ୍କୁ ତଦନ୍ତ ପାଇଁ ଦିଲ୍ଲୀ ଅଣାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି।

ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ଚଳିତ ବର୍ଷ ତଦନ୍ତକାରୀ ଏଜେନ୍‌ସି ଦ୍ୱାରା ଜାରି ହୋଇଥିବା ଅତି କମରେ ଦୁଇଟି ସମନକୁ ଏଡ଼ାଇ ଯାଇଥିଲେ।

ଏହି ମାମଲାରେ ତଦନ୍ତକାରୀ ଏଜେନ୍‌ସି କବିତାଙ୍କୁ ସମନ କରିପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଉଦାହରଣ ଦେଇ ୪୫ ବର୍ଷୀୟା ବିଆର୍‌ଏସ୍‌ ନେତ୍ରୀ ଜାନୁଆରି ୧୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ପୁନର୍ବାର ପଚରାଉଚରା ପାଇଁ ହାଜର ହୋଇ ନଥିଲେ।

Spread the love