କୃଷି ବିଭାଗ ୨୧ ଅଧିକାରୀଙ୍କ ରାଜଧାନୀ ମୋହ ଛଡ଼ାଇଲେ ମନ୍ତ୍ରୀ ଅରୁଣ ସାହୁ

କୃଷି ବିଭାଗ ନାଁରେ ଲାଗିଥିବା କଳଙ୍କ କୁ ସଫା କରିବାକୁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଡେପୁଟେସନରେ ଆସି ଅନେକ ଦିନ ଧରି ନିଜ ସ୍ଥାନକୁ ଜାବୁଡି ଧରିଥିବା ୨୧ଜଣ କୃଷି ଅଧିକାରୀଙ୍କୁ ମୂଳ ପଦବୀକୁ ଫେରାଇଦେଇଛନ୍ତି । ଏ ସମ୍ୱନ୍ଧର କୃଷି ବିଭାଗ ପକ୍ଷରୁ ଆଜି ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇଥିବା ସହକାରୀ କୃଷି ଅଧିକାରୀମାନେ ଡେପୁଟେସନରେ କୃଷି ନିର୍ଦ୍ଦେଶାଳୟକୁ ଆସି ଆଉ ଫେରିବାର ନାଁ ଧରୁନଥିଲେ । ଏମାନେ ରାଜଧାନୀକୁ ଆସିବାପରେ ଆଉ ଜିଲ୍ଲାକୁ ଫେରିବାକୁ ମଙ୍ଗୁନଥିଲେ । ଯେମିତି ହେଉ କଳେ ବଳେ ରାଜଧାନୀରେ ରହିଆସୁଥିଲେ । ଇତି ମଧ୍ୟରେ ଏହି ସହକାରୀ କୃଷି ଅଧିକାରୀମାନେ ପଦୋନ୍ନତି ପାଇଛନ୍ତି ।

ତେବେ ପଦୋନ୍ନତି ପାଇଲାପରେ ମଧ୍ୟ କିଛି ଅଧିକାରୀ ନିର୍ଦ୍ଦେଶାଳୟରେ ରହିବାପାଇଁ ବି ଉଦ୍ୟମ ଚଳାଇଥିଲେ । ହେଲେ କୃଷିମନ୍ତ୍ରୀ ଡକ୍ଟର ସାହୁଙ୍କ ନଜରକୁ ଏହା ଆସିବାପରେ ତୁରନ୍ତ ଏହି ଅଧିକାରୀମାନଙ୍କୁ ସେମାନଙ୍କ ମୂଳ ଜିଲ୍ଲା ସମେତ ଅନ୍ୟ ସ୍ଥାନକୁ ପଠାଇବାପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭାଗରେ ମୋ ସରକାର ଓ ୫-ଟି ଲାଗୁପରେ ଡେପୁଟେସନରେ ଆସି ବିଭାଗ ଓ ନିର୍ଦ୍ଦେଶାଳୟରେ ରହିବା ପ୍ରଥାକୁ ଏକ ପ୍ରକାର ଉଚ୍ଛେଦ କରାଯାଇଛି ।

ମନ୍ତ୍ରୀଙ୍କ ଆଭିମୁଖ୍ୟ ଦେଖି କର୍ତ୍ତୃପକ୍ଷ ୨୧ଜଣ ସହକାରୀ କୃଷି ଅଧିକାରୀଙ୍କୁ ପଦୋନ୍ନତି ସହିତ ଅନ୍ୟ ସ୍ଥାନକୁ ପଠାଇ ଦେଇଛନ୍ତି । ଏହି ଅଧିକାରୀମାନେ ଫୁଲବାଣୀ, ସୁବର୍ଣ୍ଣପୁର, ନୟାଗଡ, ଢେଙ୍କାନାଳ, ପୁରୀ, ବରଗଡ, କେନ୍ଦ୍ରାପଡା, ଗଞ୍ଜାମ ଆଦି ଜିଲ୍ଲାକୁ ବଦଳି ହୋଇଥିବାବେଳେ ଦୁଇଜଣ ଅଧିକାରୀଙ୍କୁ ରାଜଧାନୀରେ ଥିବା ବିଭାଗର ଅନ୍ୟ ଅଫିସକୁ ପଠାଇ ଦିଆଯାଇଛି ।

Spread the love