ରତ୍ନ ପଥର ଖନନ ବେଳେ ଫସିଗଲେ ଶ୍ରମିକ: ମୃତ ନା ଜୀବିତ ଅସ୍ପଷ୍ଟ

ବୌଦ୍ଧ: ଶ୍ରମିକଙ୍କୁ ଲଗାଇ ବୌଦ୍ଧ ମହାନଦୀ ଭିତରୁ ବେଆଇନ ଭାବେ ଚୋରାରେ ଚାଲିଥିଲା ରତ୍ନ ପଥର ଖନନ। ହେଲେ ଦୁର୍ଯୋଗକୁ ଏକ ପଥର ସନ୍ଧିରେ ଗଭୀର ଗର୍ତ୍ତକରି ପଥର ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଘଟିଯାଇଛି ଏକ ବଡ଼ ଧରଣର ଅଘଟଣ। ଖନନ କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକଙ୍କ ଉପରେ ମାଡ଼ି ବସିଲା ଏକ ବିଶାଳକାୟ ପଥର। ତେବେ ସୌଭାଗ୍ୟକୁ ସେହି ସମୟରେ କାମ ବନ୍ଦକରି ଅଳ୍ପ ଦୂରରେ ଖିଆପିଆ କରିବାକୁ ଆସିଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ୧୦ରୁ ୧୨ ଜଣ ଶ୍ରମିକ।ମାତ୍ର ଏକଥା ଲୋକଲୋଚନକୁ ନ ଆସିବା ପାଇଁ ଅତି ଗୋପନୀୟତାର ସହିତ ଉଦ୍ଧାର କାର୍ଯ୍ୟ ସଫଳ ନହେବାରୁ ଶେଷରେ ବୌଦ୍ଧ ଅଗ୍ନିଶମ ବିଭାଗର ସହାୟତା ଲୋଡାଗଲା।

ଘଟଣା ସ୍ଥଳକୁ ଦୀର୍ଘ ପ୍ରାୟ ୬ ଘଣ୍ଟାପରେ ପହଞ୍ଚି ରାତି ୧୦ଟାରେ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ। ତେବେ ଏତେବଡ଼ ବିଶାଳକାୟ ପଥରକୁ ହଟାଇବାକୁ ଅସଫଳ ହେବାରୁ ବାଧ୍ୟହୋଇ ଶେଷରେ ରେସ କ୍ୟୁ ଅପରେସନକୁ ବନ୍ଦକରି ଫେରିଥିଲା ଅଗ୍ନିଶମ ବାହିନୀ। ଏଭଳି ଏକ ଅଭାବନୀୟ ଘଟଣା ବହୁ ବିଳମ୍ବରେ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଘଟଣାଟି ଶୁକ୍ରବାର ଅପରାହ୍ନ ଗୋଟାଏ ସମୟରେ ଘଟିଥିଲା। ମାତ୍ର ଘଟଣା ପ୍ରଘଟ ହେଲେ ଆଇନ ଆଖିରେ ଧୂଳିଦେଇ ଶ୍ରମିକଙ୍କ ଦ୍ୱାରା ମହନଦୀରୁ ଦୁର୍ମୂଲ୍ୟ ରତ୍ନପଥର ଉତ୍ତୋଳନ କରି ନିଜର କଳା ବ୍ୟବସାୟ ଚଳାଇଥିବା ମାଫିଆଙ୍କ ନାଁ ଓ ଅସଲ ଗୁମର ପଦାରେ ପଡ଼ିଯିବ, ଏହି ଭୟରେ ଏହାକୁ ଗୋପନ ରଖାଯାଇଥିଲା। ଶ୍ରମିକଙ୍କୁ ନେଇ ଏହି କଳା କାରବାର କରୁଥିବା ଚୋରା ବ୍ୟବସାୟୀଙ୍କ କାରନାମା ସାମ୍ନାକୁ ଆସିଛି। ଅନ୍ୟପଟେ ଦୀର୍ଘ ୨୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଉଦ୍ଧାରକାରୀ ଦଳ ପଥର ତଳେ ଚାପିହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରିନଥିବାରୁ ସେ ଏବେ ଜୀବିତ ନାଁ ମୃତ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Spread the love