ବରଗଡ଼ ପୁରୁଣା ଜିଲ୍ଲା ଡାକ୍ତରଖାନା ହେବ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚ୍‌ସି

ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବରଗଡ଼ର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚ୍‌ସି କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ସହିତ ରୋଗୀମାନେ ଯେପରି ସୁବିଧାରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇପାରିବେ ସେଥିପାଇଁ ପୁରୁଣା ଡାକ୍ତରଖାନାରୁ ମାଗଣାରେ ଆମ୍ବୁଲାନ୍ସ ଓ ବସ୍‌ ସେବା ଯୋଗାଇ ଦେବା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ବାନ ସିଏଚ୍‌ସିରେ ଲୋକଙ୍କୁ ଜରୁରୀକାଳୀନ ଚିକିତ୍ସାସେବା ଓ ଓପିଡି ସେବା ଯୋଗାଇ ଦିଆଯିବ। ଲୋକସେବା ଭବନଠାରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରଗଡ଼ର ଜିଲ୍ଲା ନିୂଆ ମୁଖ୍ୟ ଚିକିତ୍ସାଳୟ ସଂପର୍କିତ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଜନସାଧାରଣଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ସବୁବେଳେ ସହାନୁଭୂତିମୂଳକ ଦୃଷ୍ଟିଭଙ୍ଗୀ ପୋଷଣ କରିଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।

Spread the love