ଅଭିନେତା ବନାମ ଅଭିନେତ୍ରୀ ଲଢେଇ ଦେଖିବ କି କୋରେଇ ଜନତା?

 କୋରେଇରେ ଏଥର ହେବ କଡା ମୁକାବିଲା । ଅଭିନେତା ବନାମ ଅଭିନେତ୍ରୀ ଲଢେଇ ଦେଖିପାରେ କୋରେଇ । ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ ବନାମ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ବିଗ୍ ଫାଇଟ୍ ଦେଖି ପାରନ୍ତି କୋରେଇ ଜନତା । ବିଜେଡି ସୁପ୍ରିମୋ ଯଦି ଅନୁମତି ଦେବେ, ତେବେ କୋରେଇରୁ ନିର୍ବାଚନ ଲଢିବି ବୋଲି କହିଛନ୍ତି ଝିଲିକ । ଝିଲିକଙ୍କ ଏଭଳି ବୟାନ ପରେ କୋରେଇ ନିର୍ବାଚନମଣ୍ଡଳୀକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡି ୯୯ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିଲେ ମଧ୍ୟ ଏଯାଏଁ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । କୋରେଇ ନିର୍ବାଚନ ମଣ୍ଡଳୀର ଶତାଧିକ ବ୍ୟକ୍ତି ଆଜି ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରୀତିରଂଜନ ଘଡେଇଙ୍କ ଯାଜପୁର ରୋଡ ସ୍ଥିତ ବାସଭବନରେ ପହଞ୍ଚି ପତ୍ନୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଛନ୍ତି । କୋରେଇବାସୀଙ୍କ ଦାବିକୁ ସମର୍ଥନ ଜଣାଇ ଝିଲିକ୍ ମଧ୍ୟ ନିର୍ବାଚନ ଲଢିବା ସପକ୍ଷରେ ମତ ରଖିଛନ୍ତି । କହିଛନ୍ତି, ଦଳୀୟ ସଭାପତି ନବୀନ ପଟ୍ଟନାୟକ ଯଦି ଦଳୀୟ ଟିକେଟରେ ଲଢିବାକୁ ସୁଯୋଗ ଦିଅନ୍ତି ତେବେ ଲଢିବି ।

ଏହାପୂର୍ବରୁ କୋରେଇ ଟିକେଟ ପାଇଁ ବିଜେଡିରୁ ଆକାଶ ଦାସ ନାୟକଙ୍କ ନାଁ ଚର୍ଚ୍ଚା ହେଉଥିଲା । କିନ୍ତୁ ଗତ କିଛି ଦିନ ପୂର୍ବେ ଆକାଶ ଦାସ ନାୟକ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ଫଳରେ କୋରେଇରୁ ନୂଆ ମୁହଁ ଖୋଜୁଛି ବିଜେଡି । ପୂର୍ବରୁ କୋରେଇ ଆସନରୁ ନିର୍ବାଚନ ଲଢି ବିଧାୟକ ହୋଇଛନ୍ତି ଝିଲିକଙ୍କ ସ୍ୱାମୀ ପ୍ରୀତିରଞ୍ଜନ ଘଡେଇ । ତେଣୁ କୋରେଇରେ ପ୍ରୀତିରଞ୍ଜନଙ୍କର ପୁରୁଣା ସଙ୍ଗଠନ ରହିଛି । ତେଣୁ ପୁଣିଥରେ ଘଡାଇ ପରିବାରରୁ କାହାକୁ କୋରେଇ ଆସନରେ ପ୍ରାର୍ଥୀ କରି ଦଳ ବିଜୟୀ ହେବାକୁ ଅଙ୍କ କଷୁଥିବା ଚର୍ଚ୍ଚା ହେଉଛି ।

Spread the love