ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର, ପାରଦ ଟପିଲା ୪୩.୨ ଡିଗ୍ରୀ

ତତଲା କଡେଇରେ ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ନେଇ ଉପାନ୍ତ ସବୁଠି ପ୍ରଚଣ୍ଡ ତାତିରେ ଖଇ ଫୁଟୁଛି । ଆଜି ସବୁଠୁ ଉତପ୍ତ ସହର ପାଲଟିଛି ଭୁବନେଶ୍ୱର । ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀରେ ପାରଦ ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ସମ୍ବଲପୁରେ ୪୦.୮, ହୀରାକୁଦରେ ୪୦.୬, ଚାନ୍ଦବାଲିରେ ୪୦.୬, ଝାରସୁଗୁଡ଼ାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଜି ଭୁବନେଶ୍ୱରରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ଦେଖା ଦେଇଛି । ଭୁବନେଶ୍ୱରରେ ବର୍ଦ୍ଧିତ ତାପମାତ୍ରା ସହ ଆଦ୍ରତା ପ୍ରାୟ ୪୫ ପ୍ରତିଶତ ରହିଛି । ଯେଉଁ କାରଣରୁ ୫୦ରୁ ୬୦ ଡିଗ୍ରୀ ପର୍ଯ୍ୟନ୍ତ ଅନୁଭୁତ ତାପମାତ୍ରା ଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସକାଳ ସମୟରେ ବାୟୁମଣ୍ଡଳର ତଳ ଭାଗରେ ବାୟୁ ଚଳାଚଳ ପଶ୍ଚିମ ଦିଗରୁ ଏବଂ ବର୍ତମାନ ଉତର ପଶ୍ଚିମ ଦିଗରୁ ଶୁସ୍କଏବଂ ଗରମ ବାୟୁ ପ୍ରବାହିତ ହେଉଛି । ଯେଉଁ କାରଣରୁ ତାପମାତ୍ରା ବଢୁଛି ଏବଂ ସ୍ଥଳଭାଗ ଉତପ୍ତ ହେଉଛି । ଆଜି ଏବଂ ଆସନ୍ତା କାଲି ହିଟ୍ ୱେଭର ପ୍ରଭାବ ଯଥେଷ୍ଠ ଅଧିକ ରହିବା ନେଇ ସତର୍କତା ଜାରି କରାଯାଇଛି । ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେହିପରି ଅଧିକାଂଶ ଜିଲ୍ଲାରେ ଉଷ୍ମ ରାତି ଅନୁଭୁତ ହେବା ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଛି । ଗତକାଲି ୧୧ଟି ସହରରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିଲା । ବର୍ତମାନର ସ୍ଥିତିକୁ ଲକ୍ଷ୍ୟ କରି ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ହିଟ୍ ୱେଭ ପାଇଁ ଚେତାବନୀ ଜାରି କରାଯାଇଛି । ଏହା ସହ ଏହାର ସଲଗ୍ନ ଜିଲ୍ଲା ଗୁଡ଼ିକୁ ମଧ୍ୟ ହିଟ୍ ୱେଭ ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Spread the love