ବିଷ ବଳୟରେ ନୀଳଗିରି । ବେଧଡକ ଭାବେ ଚାଲିଛି ବେଆଇନ୍ ଇଟାଭାଟି । ନିୟମ ଉଲ୍ଲଂଘନ ସହ ଜମୁଛି ଇଟା ବ୍ୟବସାୟ, ପ୍ରଦୂଷଣ ସାଙ୍ଗକୁ ଧୂଆଁରେ ଅତିଷ୍ଠ ଗ୍ରାମବାସୀ

ବିଷ ବଳୟରେ ଘେରି ରହିଛି ନୀଳଗିରି । ବେଧଡକ ଭାବେ ଚାଲିଛି ବେଆଇନ୍ ଇଟାଭାଟି । କଡାକଡି କରାଯାଇଥିବା ନିୟମକୁ ଫୁ’ କରି ଉଡାଇ ଦେଇଛନ୍ତି ଇଟା ବ୍ୟବସାୟୀ ମାନେ । ଦିନକୁ ଦିନ ଏହି ଅଂଚଳରେ ପ୍ରଦୂଷଣ ବଢିଚାଲିଥିବା ବେଳେ ଏଥିରେ ରୋକ୍ ଲଗାଇବାରେ ଫେଲ୍ ମାରୁଛି ପ୍ରଶାସନ । ନୀଳଗିରି ତହସିଲ ଅଧୀନରେ ଛତୁ ଫୁଟିଲା ଭଳି ଗଢି ଉଠୁଛି ଇଟାଭାଟି । କାହାର ପରିବେଶ ମଂଜୁରୀ ନାହିଁ ତ ଆଉ କିଛି ଇକୋ ସେନ୍ସିଟିଭି ଜୋନ୍ରେ ଗଢା ହୋଇଛି । ପ୍ରାୟ ୨୦ରୁ ଅଧିକ ଇଟାଭାଟିର ଧୂଆଁରେ ଅତିଷ୍ଠ ହୋଇପଡୁଛି ଜନଜୀବନ । ପୂର୍ବରୁ ବହୁ ବେଆଇନ୍ ଇଟାଭାଟି ଭଙ୍ଗାଯାଇଥିଲେ ବି ପୁଣି ଏସବୁ ଗଢିଉଠିଛି । ଲୋକଙ୍କ ସମସ୍ୟା ଆଉ ଦୁଃଖ କମିବାର ନାଁ ନାହିଁ । ଇଟାଭାଟି ଚାଲିବାକୁ ଅନୁମତି ନଥିବା ବେଳେ କିଭଳି ଦିବାଲୋକରେ ବେଧଡକ ଭାବେ ଚାଲିଛି ଇଟାଭାଟି ସେ ନେଇ ଉଠିଛି ପ୍ରଶ୍ନ?

ନୀଳଗିରିରେ ଅଧିକରୁ ଅଧିକ ଇଟାଭାଟିରେ ଇଟାପୋଡା ଚାଲିଛି । ପ୍ରତିଦିନ ସେଥିରୁ କଳାଧୂଆଁ ନିର୍ଗତ ହେଉଥିବା ବେଳେ ଏ ସମସ୍ୟା ନେଇ ଅଭିଯୋଗ କରୁଥିବା ଲୋକକୁ ବିଭିନ୍ନ ଧମକ ଚମକ ଦିଆଯାଉଛି । ବେଆଇନ୍ ଇଟାଭାଟି ଗୁଡିକ ଚାଲୁଥିବା ଏନେଇ ପ୍ରଦୂଷଣ ମାତ୍ରା ବଢି ବଢି ଚାଲିଛି । ସେପଟେ ଅଭିଯୁକ୍ତ ମାନେ ବିଭାଗୀୟ ଅଧିକାରୀଙ୍କ ଛତ୍ରଛାୟା ତଳେ ରହୁଛନ୍ତି । ଯାହାଫଳରେ ବିଭିନ୍ନ ସମୟରେ ରୋକ୍ ଲଗାୁଥିଲେ ବି ବେଆଇନ୍ ଇଟାଭାଟି ବଢିଚାଲିଛି । ଆଉ ପ୍ରଦୂଷଣ ଯୋଗୁ ବିଭିନ୍ନ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ପ୍ରତିଥର ଇଟାଭାଟି ଉପରେ ରୋକ୍ ଲଗାଯାଇ ଫାଇନ୍ ଲାଗୁଛି । ହେଲେ ତାହା ବନ୍ଦ ହେବାର ନାଁ ନେଉନି । ଯାହା ଫଳରେ ଶ୍ୱାସ ସମସ୍ୟାରୁ ନେଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି ଗାଁର ଲୋକମାନେ ।

Spread the love